Unknown

 

 

 

 

 

 

 

 

 

 

 

ରଚନାତ୍ମକ କର୍ମ ସ୍ଵରାଜ ଓ ସତ୍ୟାଗ୍ରହ

ଚିତ୍ତରଞ୍ଜନ ଦାସ ଓ ଅନନ୍ତ ଗିରି

 

 

 

 

 

 

 

“କେବଳ ଭାରତବର୍ଷ କାହିଁକି, ସାମ୍ରାଜ୍ୟବାଦକୁ ତଡ଼ିଥିବା ସବୁ ପୁରାତନ ଉପନିବେଶମାନଙ୍କରୁ ଧଳା ସାହେବମାନେ ଯାଇଛନ୍ତି, ମାତ୍ର ସେଠାରେ ସାହେବବାଦର ପତନ ଘଟିଛି କି ? ଏହି ସବୁଠାରେ ଧଳା ସାହେବଙ୍କ ଜାଗାରେ କଳା ସାହେବମାନେ ସେମାନଙ୍କର ବିବି ଓ ଗୋଲାମ ସହ ମିଶି ଆମ ସମସ୍ତଙ୍କୁ ଗୋଲାମ କରି ରଖି ନାହାନ୍ତି କି ? ଏଇ ପରିପ୍ରେକ୍ଷୀରେ ସତ୍ୟାଗ୍ରହର ମୁକ୍ତିମାର୍ଗ ଆମକୁ ସ୍ପଷ୍ଟ କରି ଆହ୍ଵାନ ଦେଇଥାଏ ଯେ କେବଳ ଅପର ବିରୋଧରେ ଖଣ୍ଡା ଧରିଲେ ମଣିଷର ମୁକ୍ତି ସମ୍ଭବ ନୁହେଁ ।”

 

–ଅନନ୍ତ ଗିରି

 

ଭୂମିକା

 

–ଆଚାର୍ଯ୍ୟ ଭାବାନନ୍ଦ

 

ଏବେ ଗାନ୍ଧିଜୀଙ୍କର ଚିନ୍ତନର କେତେକ ବିଶିଷ୍ଟ ଦିଗ ସମ୍ପର୍କରେ ଆଲୋଚନାର ଆବଶ୍ୟକତା ବଢ଼ିଛି–କେବଳ ଭାରତବର୍ଷରେ ନୁହେଁ; ସମଗ୍ର ବିଶ୍ୱରେ । ଶିଳ୍ପବାଦର ପରିଣତି ସ୍ୱରୂପ, ପରିଚାଳନାଗତ ଅବକ୍ଷୟ ଯୋଗୁଁ ସମାଜମାନେ, ରାଷ୍ଟ୍ରମାନେ, ବିଶିଷ୍ଟ ଚିନ୍ତକମାନେ ଏବେ ନୂଆ ଢଙ୍ଗରେ, ନୂଆ ରୀତିରେ ଅନୁଷ୍ଠାନମାନ ଗଢ଼ିବାକୁ ଚାହୁଁଛନ୍ତି ଓ ତାହାରି ଜରିଆରେ ସାମାଜିକ ପରିବର୍ତ୍ତନର ଧାରାକୁ ଶୃଙ୍ଖଳା ଭିତରକୁ ଆଣିବାକୁ ଚେଷ୍ଟା କରୁଛନ୍ତି ।

ଏବର ଭାରତବର୍ଷରେ / ଓଡ଼ିଶାରେ ସ୍ଵେଚ୍ଛାସେବୀ ସଙ୍ଗଠନମାନଙ୍କ ଜରିଆରେ ଅନେକ କାର୍ଯ୍ୟ ସଂଶୋଧିତ ହେବାର ଯୋଜନା ଚାଲିଛି । ଏହି ସ୍ଵେଚ୍ଛାସେବୀ ସଙ୍ଗଠନମାନେ ଯେଉଁ ରଚନାତ୍ମକ କାର୍ଯ୍ୟ କରୁଛନ୍ତି ଓ ଯେଉଁ ନୂଆ ଧରଣର ରଚନାତ୍ମକ କର୍ମୀମାନେ ତିଆରି ହେଉଛନ୍ତି, ସେହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ଗାନ୍ଧିଜୀଙ୍କର କାର୍ଯ୍ୟକ୍ରମର ଦୁଇଟି ଦିଗ “ରଚନାତ୍ମକ କାର୍ଯ୍ୟ” ଓ “ସତ୍ୟାଗ୍ରହ” ଏବର ପୃଥିବୀରେ କିପରି କାମ କରିବ/ନ କରିବ ସେ ଦିଗରେ କେତେକ ସୂଚନା ଦେଇଛନ୍ତି ।

ତା’କୁ ହିଁ ଭର୍ତ୍ତି କରି ଶ୍ରୀ ଅନନ୍ତ ଗିରି ସିଧାସଳଖ ଭାବରେ ଗାନ୍ଧିଜୀଙ୍କର ରାଜନୈତିକ ପ୍ରତ୍ୟୟ (concept) ସ୍ଵରାଜ ଓ ସତ୍ୟାଗ୍ରହର ସମକାଳିକ (synchronic) ପ୍ରାସଙ୍ଗିକତାର ସମ୍ଭାବନା ସମ୍ପର୍କରେ ଆଶାବାଦୀ ଦୃଷ୍ଟିଭଙ୍ଗୀରେ ଜର୍ମାନ ଲେଖକ ୟୁରଗେନ ହ୍ୟାବରମାସଙ୍କ ଚିନ୍ତାଧାରା ସହିତ (ତୁଳନାତ୍ମକ ରୀତିରେ) ଆମକୁ ପରିଚିତ କରାଇଛନ୍ତି ।

ମନେହେଉଛି ଏହିଭଳି ଆଲୋଚନା ଜରିଆରେ ଆଗେ ଏବର “ସମାଜ ବ୍ୟବସ୍ଥାକୁ” ବୁଝି ତା’ର ବିକଳ୍ପ/ବା ପ୍ରତ୍ୟୁତ୍ତର ଭାବରେ “ସର୍ବୋଦୟ ସମାଜ ବ୍ୟବସ୍ଥା”କୁ ପୁଣି ଥରେ ଆପଣେଇ ପାରିବା । କେବଳ “ଆମ ଚିନ୍ତାର ସିନ୍ଦୁକ ଭିତରେ ନ ରଖି” ତା’କୁ ପୁଣିଥରେ ସମାଜର ଆନୁଷ୍ଠାନିକତା ଭିତରେ (ସେ ଥିଲାବାଲାଙ୍କର ହେଉ ବା ନ ଥିଲାବାଲାଙ୍କର ହେଉ) ପ୍ରବେଶ କରାଇ ପାରିବା । ଏହା ଯେତେ ଅଧିକ ପରିମାଣରେ ଲୋକଙ୍କ ନିକଟରେ, ତାଙ୍କ ଭାଷାରେ ଆମେ ପହଞ୍ଚେଇ ପାରିବା ପ୍ରଚଳିତ “ସମାଜ ବ୍ୟବସ୍ଥା” ଆଉ ଆମକୁ ସେତେ ଜୋରରେ ଚାପିଦେବା ସମ୍ଭବ ହେବ ନାହିଁ । ପୁଣି ମଣିଷ ତା’ର ନ୍ୟାଯ୍ୟ ଓ ଜନ୍ମଗତ ଅଧିକାର ସାବ୍ୟସ୍ତ କରିବାକୁ ସାହସ କରିପାରିବ । ଏହି “ସାହସ” ସୃଷ୍ଟି କରିପାରିଲେ ହିଁ “ସତ୍ୟାଗ୍ରହ” ଆଦର ପାଇବ ଓ ସ୍ଵରାଜର ଧାରା ପୁଣିଥରେ ବିକଶିତ ହୋଇପାରିବ

ଏଇ ଭରସା ନେଇ ଗାନ୍ଧି ଚିନ୍ତନର ଏହି ପୁସ୍ତିକାରେ ଶ୍ରୀ ଚିତ୍ତରଞ୍ଜନ ଦାସ ଓ ଶ୍ରୀ ଅନନ୍ତ ଗିରିଙ୍କ ପ୍ରବନ୍ଧ ଦୁଇଟିକୁ ଏକତ୍ର ଛପା ଯାଉଛି । ‘ପ୍ରଗତିବାଦୀ’ରେ ଏହା ପ୍ରଥମେ ପ୍ରକାଶ ପାଇଥିବାରୁ (ଡିସେମ୍ବର ୧୯୯୩ ଓ ଜାନୁୟାରୀ–୧୯୯୪) ସେହି ସମ୍ବାଦପତ୍ରର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ବଳଙ୍କୁ ଧନ୍ୟବାଦ ଦେଉଛି । ଏହା “ସର୍ବୋଦୟ’’ର ମାର୍ଗକୁ ଦୃଢ଼ କରିବ ବୋଲି ଆଶା ।

ଭୁବନେଶ୍ଵର

୩୦ । ୬ । ୯୬

Image

 

ରଚନାତ୍ମକ କାର୍ଯ୍ୟ ଓ ରଚନାତ୍ମକ କର୍ମୀ

ଚିତ୍ତରଞ୍ଜନ ଦାସ

 

ଏହି ଶତାବ୍ଦୀର ଚତୁର୍ଥ ଦଶକର ଆରମ୍ଭରେ ମହାତ୍ମା ଗାନ୍ଧୀ ରଚନାତ୍ମକ କାର୍ଯ୍ୟକ୍ରମର କଥା କହିଥିଲେ । ସେତେବେଳେ ଭାରତବର୍ଷର ମୀମାଂସକ ସ୍ଵାଧୀନତା ସଂଗ୍ରାମର ସମଗ୍ର ପ୍ରସ୍ତୁତିରେ ଏହି କାର୍ଯ୍ୟକ୍ରମର ସ୍ପଷ୍ଟତଃ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା । ସେହି କାର୍ଯ୍ୟକ୍ରମର ଏକ ରାଜନୈତିକ ଆଭିମୁଖ୍ୟ ଅବଶ୍ୟ ଥିଲା । ତାହାରି ମଧ୍ୟ ଦେଇ ଏକ ଭବିଷ୍ୟଚିତ୍ରର ରୂପରେଖ ମଧ୍ୟ ବେଶ୍ ପ୍ରାଞ୍ଜଳ ଭାବରେ ଦେଖାଯାଉଥିଲା । ମହାତ୍ମା ଗାନ୍ଧୀଙ୍କର ରଚନାତ୍ମକ କାର୍ଯ୍ୟକ୍ରମ ସମ୍ବନ୍ଧରେ ଲିଖିତ ବିଭିନ୍ନ ଲେଖାରୁ ଆମକୁ ତାହାର ଭୁରୀ ଭୁରୀ ପ୍ରମାଣ ମଧ୍ୟ ସର୍ବଦା ମିଳିଯିବ । ଆମର ଦୁର୍ଭାଗ୍ୟ, ଏହି ରଚନାତ୍ମକ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିବା ନେତୃତ୍ଵଗୁଡ଼ିକ ଅଧିକାଂଶ ସମୟରେ କାର୍ଯ୍ୟକ୍ରମଟି ମଧ୍ୟରେ ପ୍ରସ୍ତାବିତ ଓ ଅଭିପ୍ରେତ ହୋଇ ରହିଥିବା ସମଗ୍ର ଆହ୍ଵାନଟିକୁ ଘ୍ରାଣ କରି ପାରୁନଥିଲେ ଓ ତେଣୁ କ୍ରମେ ପରସ୍ପରଠାରୁ ବିଭକ୍ତ ହୋଇ ରହିଗଲେ । ସେମାନେ ନିଜ ନିଜର ସ୍ଵତନ୍ତ୍ର କ୍ଷେତ୍ରଗୁଡ଼ିକରେ ରହିଗଲେ ଓ କାଳକ୍ରମେ ବିଶେଷଜ୍ଞ ପାଲଟିଗଲେ-। ଖଦୀବାଲାଏ ଖଦୀରେ ରହିଲେ, ହିନ୍ଦିବାଲା ହିନ୍ଦିରେ ରହିଲେ, କୁଷ୍ଠରୋଗୀର ସେବା କୁଷ୍ଠାଶ୍ରମଗୁଡ଼ିକରେ ରହିଗଲା । ଆଉ ଏକ ଗୋଷ୍ଠୀ ନିଶାନିବାରଣକୁ ନିଜର ସ୍ଵତନ୍ତ୍ର ଆନୁଗତ୍ୟରେ ପରିଣତ କରି ରଖିଲା । ସେହିପରି ମୌଳିକ ଶିକ୍ଷା ମଧ୍ୟ ଏକୁଟିଆ ହୋଇଗଲା ଓ କ୍ରମଶଃ କର୍ପୂର ହରାଇବସିଲା ଏବଂ ଭାରତବର୍ଷ ରାଜନୈତିକ ସ୍ଵାଧୀନତା ହାସଲ କଲାପରେ ଅର୍ଥନୈତିକ ସମାନତା ନାମକ ରଚନାତ୍ମକ କାର୍ଯ୍ୟକ୍ରମଟି ଭୁରୁଡ଼ା ହୋଇ ରହିଗଲା ।

 

ରାଜନୈତିକ ସ୍ଵାଧୀନତା ପରେ ସ୍ଵାଧୀନ ଦେଶର ସରକାର ଏହିସବୁ କାର୍ଯ୍ୟକ୍ରମକୁ ଆତ୍ମସାତ କରିନେଲେ । ଆବଶ୍ୟକ ଅର୍ଥ ରାଶି ଯୋଗାଇଦେଲେ ଏବଂ ସେହି ନ୍ୟାୟଦ୍ଵାରା ମାହାଲ ଗୁଡ଼ିକୁ ଦଖଲ କରିନେଲେ । ସରକାରଙ୍କ ତରଫରୁ ସାହେବମାନେ ଏହିସବୁ ମାହାଲର ସର୍ବପ୍ରବୀଣ କର୍ତ୍ତା ହୋଇ ଆସିଲେ । ଏମାନେ ମୂଳ କାର୍ଯ୍ୟକ୍ରମଟିର ପଛରେ ରହିଥିବା ବୈପ୍ଳବିକ ଆବେଦନଟି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ମାତ୍ର ତଥାପି କାର୍ଯ୍ୟକ୍ରମଗୁଡ଼ିକ ଚାଲିଲା । ସେହି ବ୍ୟାପାରଟିର ଗତ ପ୍ରାୟ ଚାରିଦଶନ୍ଧି ବ୍ୟାପୀ ଏକ ସ୍ଵତନ୍ତ୍ର ଏବଂ ଅତ୍ୟନ୍ତ ହାସ୍ୟୋଦ୍ଦୀପକ କାହାଣୀ ମଧ୍ୟ ରହିଛି । ରାଜନୈତିକ ସ୍ଵାଧୀନତା ପରେ ଗାନ୍ଧିଜୀ ଭାରତବର୍ଷକୁ ତା’ର ସ୍ଵକୀୟ ମାର୍ଗରେ ଏକ ସାମାଜିକ ବିପ୍ଳବର ମଧ୍ୟ ଦେଇ ଏକ ଇପ୍ସିତ ନୂତନ ସାମୂହିକ ଭୂମିକୁ ଉନ୍ନୀତ କରି ନେବାର ଯେଉଁ ଚିତ୍ରଟିକୁ ନିଜ ସମ୍ମୁଖରେ ରଖିଥିଲେ ଏବଂ ତାହାରି ପ୍ରାରମ୍ଭିକ ପ୍ରସ୍ତୁତି ରୂପେ ରଚନାତ୍ମକ କାର୍ଯ୍ୟକ୍ରମର ଯେଉଁ ବହୁ ସମ୍ଭାବନାମୟ ଫୋରମ୍‍ଟିକୁ ଆମ ସମସ୍ତଙ୍କ ସମ୍ମୁଖରେ ଉନ୍ମୋଚିତ କରି ଦେଇଥିଲେ, ପୁରୁଣା ଧ୍ଵସା ଓ ଧାରାଗୁଡ଼ାକର ତୁଚ୍ଛା ଅନୁକରଣ କରିଥିବା ସାମନ୍ତ ଓ ସାହେବମାନେ ସେହି ବିଷୟରେ କିଛି ଜାଣିବା ଲାଗି କାହିଁକି ବା ମନ କରିଥାନ୍ତେ ?

 

ସ୍ଵାଧୀନ ଭାରତବର୍ଷରେ ସାମାଜିକ ସମୃଦ୍ଧି ହାସଲ କରିବାର ଏକ ନୂତନ ଗଣିତ ଅନୁସାରେ ଚିଠା ପ୍ରସ୍ତୁତ କରି ସରକାର ଗୋଷ୍ଠୀ ଉନ୍ନୟନ ଯୋଜନା ଆରମ୍ଭ କଲେ । ସେଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା । ସେତେବେଳେ କେଡ଼େ ସହଜରେ ବାହାରୁ ଅର୍ଥ ମିଳିଯାଉଥିଲା, ମାଗିବା ଆଗରୁ ବୁଦ୍ଧି ଓ ବିଜ୍ଞାନ ମଧ୍ୟ ମିଳି ଯାଉଥିଲା । ପ୍ରାୟ ଏକ ରୋମାଣ୍ଟିକ୍ ଉତ୍ସାହରେ ବହୁ କାର୍ଯ୍ୟକ୍ରମ ଚାଲିଲା । ଆଗର ରଚନାତ୍ମକ କର୍ମୀମାନେ ସେହି ପ୍ରଖର ଓ ପ୍ରଚଣ୍ଡ ସରକାରୀ କାର୍ଯ୍ୟକ୍ରମରେ କୁଆଡ଼େ ଯେ ପୋତିହୋଇ ପଡ଼ିଲେ ତାହାର କୌଣସି ପତ୍ତା ରହିଲା ନାହିଁ । ସେମାନଙ୍କ ମଧ୍ୟରୁ ଅନେକ ସରକାରୀ ଅର୍ଥ-ଅନୁଦାନର ସାହାଯ୍ୟରେ ଆପଣା ଆପଣାର ସେବା ତଥା ଉତ୍ପାଦନ ସଂସ୍ଥାମାନ ଚଳାଇଲେ ଓ ରଚନାତ୍ମକ କାର୍ଯ୍ୟକ୍ରମ ଛଅଗୁଣ ଅଧିକ ଚମତ୍କାରିତା ସହିତ ଚାଲିଛି ବୋଲି କଳ୍ପନା କରି ଆନନ୍ଦିତ ହେଲେ । ଗୋଷ୍ଠୀ ଉନ୍ନୟନର କାର୍ଯ୍ୟକ୍ରମ ପୁରୁଣା ହୋଇଗଲା ପରେ ଯେତେବେଳେ ଭିତରୁ ଓ ବାହାରୁ ତାହାର ସମୀକ୍ଷା ସବୁ କରାଗଲା, ସେତେବେଳେ ସମସ୍ତେ ସତେ ଅବା ଗୋଟିଏ କଣ୍ଠରେ କହିଲେ ଯେ, ହଁ ଅନେକ କିଛି ହେଲା । ମାତ୍ର ଏହି ଯାବତୀୟ ବ୍ୟବସ୍ଥାଟିଦ୍ଵାରା ଧନୀ ଅଧିକ ଧନୀ ହେଲେ ଏବଂ ଦରିଦ୍ରମାନେ ଅଧିକ ଦରିଦ୍ର ହେଲେ । ବ୍ୟବଧାନମାନ ବଢ଼ିଗଲା । ଅର୍ଥନୈତିକ ସମତା ସୁଦୂରପରାହିତ ହୋଇରହିଲା । ସହରମାନେ ଗ୍ରାମଠାରୁ ଆହୁରି ଅଧିକ ପରିମାଣରେ ଦୂରେଇଗଲେ । ନେତୃତ୍ଵଗୁଡ଼ିକ ମଧ୍ୟ ବୃହତ୍ତର ମନୁଷ୍ୟସମୂହଠାରୁ ଦୂରକୁ ଚାଲିଗଲେ । ରାଷ୍ଟ୍ର ରାଜଧାନୀମାନଙ୍କରେ ଗୋଟାଏ ପରି ଦେଖାଯାଉଥିଲେ ମଧ୍ୟ ଦେଶ ସତେ ଯେପରି ଦୁଇ ଭାଗ ଓ ବହୁ ଭାଗ ହୋଇ ରହିଲା । ନୂଆ ହୋଇ ଏକ ପୁଞ୍ଜିବାଦୀ ସରାଗ ଆଡ଼କୁ ମୁହାଁଉଥିବା ଯେ କୌଣସି ସାମନ୍ତବାଦୀ ସମାଜରେ ଯାହା ହୁଏ, ପରିଣାମ ତାହାହିଁ ହେଲା । ସମସ୍ତେ ବିପଦ ଗଣିଲେ ଓ ଆପଣା ଆପଣାର କ୍ଷୁଦ୍ର ଏକକଗୁଡ଼ିକରେ ଆପଣାର ତତ୍କାଳିକ ସ୍ଵାର୍ଥଗୁଡ଼ିକୁ ଦୋରସ୍ତ କରି ରଖିବା ପାଇଁ ମନ ବଳାଇଲେ । ତାହାକୁ ହିଁ ଉପସ୍ଥିତ ପରିସ୍ଥିତିରେ ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ନିରାପତ୍ତା ବୋଲି ଧରି ନିଆଗଲା । ସେହି କାରଣରୁ ଓ ସେହି ପ୍ରୟୋଜନରେ ପଡ଼ି ଏକ ଅନୁରୂପ ଶୈଳୀର ନେତୃତ୍ଵ ମଧ୍ୟ ମିଳିଗଲା । ପାରମ୍ପରିକ ଭାରତୀୟ ସମାଜର ଜାତିପ୍ରଥା, ଧର୍ମ ବ୍ୟବସ୍ଥା, ମାନସିକ ଦୂରତା ଏବଂ ସାଂସ୍କୃତିକ ଦ୍ଵୀପ-ଭାବନା ଏହି ନୂତନ ପ୍ରବୃତ୍ତିଟିକୁ କ୍ରମଶଃ ପ୍ରାୟ ଏକ ଦୁଷ୍ଟ ବ୍ୟାଧିରେ ପରିଣତ ହେବାରେ ସାହାଯ୍ୟ ମଧ୍ୟ କଲା । ସ୍ଥାନୀୟତାମାନେ ଜାତୀୟତାକୁ ଗିଳିବାକୁ ବାହାରିଲେ ।

 

ଭାରତବର୍ଷ ରାଜନୈତିକ ସ୍ଵାଧୀନତା ହାସଲ କରିବା ପରେ ଯେଉଁ ଦୁଇଟି ପରିବର୍ତ୍ତନ ସବା ଆଗ ହୋଇଥାନ୍ତା, କ୍ରମେ ସମସ୍ତେ ସେଗୁଡ଼ିକୁ ପାସୋରି ଦେଲେ । ଭୂମି ସଂସ୍କାରହିଁ ସ୍ଵାଧୀନ ଭାରତବର୍ଷର ସର୍ବପ୍ରଥମ କାର୍ଯ୍ୟକ୍ରମ ହେବ ବୋଲି ପଣ୍ଡିତ ଜବାହରଲାଲ ନେହରୁ ସ୍ଵାଧୀନତା ପ୍ରାପ୍ତିର ପ୍ରାୟ ଗୋଟାଏ ଦଶକ ଆଗରୁ କେଡ଼େ ଉତ୍ସାହରେ କହିଥିଲେ । ସ୍ଵାଧୀନ ଭାରତରେ ସେହି ବସ୍ତାନି ଏବେ ମଧ୍ୟ ଖୋଲା ହୋଇନାହିଁ ଏବଂ ତାହାର ଏକ ବିକଳ୍ପ ବୋଲି ଧାରଣା ଦେବାକୁ ସରକାର ତାଙ୍କ ଚକବନ୍ଦୀ କାର୍ଯ୍ୟକ୍ରମକୁ ଖେଳନା ପରି ବ୍ୟବହାର କରୁଛନ୍ତି । ଦ୍ଵିତୀୟତଃ ସ୍ଵାଧୀନ ଭାରତବର୍ଷରେ ଶିକ୍ଷାରେ ମଧ୍ୟ କୌଣସି ମୂଳଭୂତ ପରିବର୍ତ୍ତନ ହେଲାନାହିଁ । ପ୍ରାଥମିକ ସ୍ତରରେ ମଧ୍ୟ ପନ୍ଦର କିସମର ଶିକ୍ଷା ଚାଲିଲା ଏବଂ ଯାବତୀୟ ଆଧୁନିକ ଫନ୍ଦା ସହିତ ତାହା ଏବେ ମଧ୍ୟ ଚାଲିଛି । ଆମ ଇସ୍କୁଲ ମାନଙ୍କରୁ ହିଁ ଦେଶଟାକୁ ବହୁ ଭାଗ କରି ଦିଆଯାଉଛି । ନିଜକୁ ଭାରତୀୟ ବୋଲି ଭାବିବାକୁ ମଧ୍ୟ ଯଥେଷ୍ଟ ଅନୁକୂଳତା ନାହିଁ; ମଣିଷ ବୋଲି ଭାବିବାର ଅନୁକୂଳତା ରହିବା ତ ଆହୁରି ଅଧିକ ଦୂରର କଥା । ଯେଉଁମାନେ ଯେତେ ଉପରକୁ ପାଠ ପଢ଼ୁଛନ୍ତି, ସରକାରୀ ପରମେଶ୍ଵରମାନଙ୍କର ଅପାର କରୁଣାରୁ ସେମାନେ ସେତେ ବେଶୀ ପରିମାଣରେ ଯାବତୀୟ ସାର୍ବଜନୀନତା ଏବଂ ସମ୍ବେଦନଶୀଳତାରୁ ନିଜକୁ ବିଚ୍ଛିନ୍ନ କରି ନେଉଛନ୍ତି । ନିରାପତ୍ତାବୋଧ ବିଲ୍‍କୁଲ ନଥିଲେ ହେଁ ଅନେକ ସମୟରେ ମଣିଷ ସମସ୍ତଙ୍କୁ ଲୋଡ଼ିବା ଆଗରୁ ଅତ୍ୟାସକ୍ତ ଭାବରେ କେବଳ ନିଜକୁ ଲୋଡ଼େ ଏବଂ ନିଃସଙ୍ଗ ହୋଇ ରହିଥାଏ ।

 

ସ୍ଵାଧୀନ ଭାରତରେ ସେ ସମୟର ରଚନାତ୍ମକ କର୍ମୀମାନେ ଏପରି ଭାବରେ ଖାପ ଖାଇଗଲେ ଯେ, ଆଗର ସେହି କାର୍ଯ୍ୟକ୍ରମ ଭିତରେ ଯେ ଏକ ତୁମୁଳ କ୍ରାନ୍ତିକାରୀ ଆବେଦନ ରହିଥିଲା, ସେମାନେ ସେ କଥାଟିକୁ ଭୁଲିଗଲେ । ସେମାନେ କେଳାର ବାଡ଼ି ଅନୁସାରେ ବହୁବିଧ ସ୍ଵୀକୃତି ଏବଂ ସହାୟତାର ଘୁଙ୍ଗୁର ପିନ୍ଧି ଅନୁଗତ ବାନରଟିଏ ହୋଇ ନାଚିଲେ । ଆଖି ଆଗରେ ଅନ୍ୟାୟ ଦେଖିଲେ । ମାତ୍ର ପ୍ରତିବାଦ କଲେ ନାହିଁ । ଚୋରମାନଙ୍କୁ ଦେଖିଲେ, ମାତ୍ର ‘ଚୋରଚୋର’ ବୋଲି ମୋଟେ ପାଟି କଲେ ନାହିଁ । ସେମାନଙ୍କର ଚେର ଗାଆଁରୁ କଟିଗଲା, ସେମାନେ ଭୀରୁ ହୋଇ ଭୁବନେଶ୍ଵର ବା ସେହିପରି ଆଉ କେଉଁଠି ସଂସ୍ଥା ଗଢ଼ି ରହିଲେ । ସତ୍ୟାଗ୍ରହ ନାମକ ଯେଉଁ ଅସ୍ତ୍ର ଭାରତବର୍ଷକୁ ଏକ ଅଭିନବ ମାର୍ଗରେ ରାଜନୈତିକ ସ୍ଵାଧୀନତା ଆଣି ଦେଇଥିଲା, ସ୍ଵାଧୀନ ଭାରତର ଗାନ୍ଧୀ ସଂସ୍ଥାମାନେ ତାହାକୁ ସିନ୍ଦୁକ ଭିତରେ ବନ୍ଦ କରି ରଖିଲେ । ତେଣୁ ସହସ୍ର ଅନ୍ୟ କାର୍ଯ୍ୟକ୍ରମ ସତ୍ତ୍ୱେ କ୍ରମେ ପ୍ରଭାହୀନ ହେଲେ, ନିଷ୍କ୍ରିୟ ହୋଇ ପଡ଼ିଲେ । ଭାରତବର୍ଷ ସ୍ଵାଧୀନ ହେଲେ ମଧ୍ୟ ସେଠାରେ ଅନ୍ୟାୟୀମାନେ ଅବଶ୍ୟ ରହିବେ, ଅନ୍ୟାୟକୁ ପ୍ରୋତ୍ସାହନ ଦେଲା ଭଳି ପରିବେଶ ଏବଂ ପ୍ରତିନିଧିମାନେ ଅବଶ୍ୟ ରହିବେ ଓ ତେଣୁ ସତ୍ୟାଗ୍ରହ ନିମନ୍ତେ ବି ଏକ ଅବକାଶ ଅବଶ୍ୟ ରହିବ ବୋଲି ଗାନ୍ଧିଜୀ ଏକାଧିକ ଅବସରରେ କହି ଯାଇଥିଲେ ମଧ୍ୟ ସ୍ଵାଧୀନ ଭାରତରେ ତାଙ୍କର ପ୍ରତିଭୂମାନେ ସେହି ବିଷୟରେ ପାଟି ଫିଟାଇଲେ ନାହିଁ । ସେମାନେ ଲୋକମାନଙ୍କ ପକ୍ଷରେ ନରହି ଅଧିକାଂଶତଃ କାର୍ଯ୍ୟକ୍ରମଗୁଡ଼ିକର ପକ୍ଷରେ ରହିଲେ । ଭୂଦାନ ନାମକ ଏକ ଆନ୍ଦୋଳନ ଲୋକଶକ୍ତିର ଜାଗରଣ ଲାଗି ସବା ଆଗ କାର୍ଯ୍ୟ କରିବ ବୋଲି ସ୍ଵୟଂ ତାହାର ପ୍ରବର୍ତ୍ତକ କେତେଥର କହିଥିଲେ ମଧ୍ୟ ସେଇଟି ବି ସମ୍ପତ୍ତିଦାନ, ଗ୍ରାମଦାନ ଏବଂ ଜୀବନଦାନ ପ୍ରଭୃତି ସାମୟିକ ଉତ୍ତେଜନା ଦାୟକ କେତୋଟି ସ୍ଳୋଗାନର ସୋପାନରେ ଯାଉ ଯାଉ ପରିଶେଷରେ ତୁଚ୍ଛା ଏକ କାର୍ଯ୍ୟକ୍ରମରେ ପରିଣତ ହୋଇ ରହିଗଲା । ସମସ୍ୟାର ଗଭୀର ଜଳରେ ସତେ ଅବା ବୁଡ଼ି ମରି ଆତ୍ମହତ୍ୟା କଲା । ଆପେ ଯେତେବେଳେ ଥଳ ପାଇଲା ନାହିଁ, ତାହା ଗୋଟାଏ ଏବେ ଶକୁବଡ଼ ଦେ ଏବଂ ଏଡ଼େ ଉଗ୍ର ଏକ କାଳକୁ କୁଆଡ଼ୁ ଥଳ ଯୋଗାଇ ପାରିଥାନ୍ତା-?

 

ଭୂଦାନ ଆନ୍ଦୋଳନ ଏକ ଶାଖାରୂପେ ସେତେବେଳେ ଶାନ୍ତିସେନା ନାମରେ ଗୋଟିଏ ସ୍ଵତନ୍ତ୍ର ସଙ୍ଗଠନ ତିଆରି ହୋଇଥିଲା । ସେହି ସଙ୍ଗଠନର ସଭ୍ୟମାନେ ମଧ୍ୟ କୁଆଡ଼େ ଉଡ଼ିଗଲେ ଓ ହଜିଗଲେ କେଜାଣି ? ଭାରତବର୍ଷରେ ବର୍ତ୍ତମାନ ବହୁବିଧ ସକ୍ରିୟ ଓ ସହିଂସ ଅଶାନ୍ତି ହିଁ ଆମର ଦୈନନ୍ଦିନ ଭାଗ୍ୟରେ ପରିଣତ ହୋଇଥିବା ସମୟରେ ଶାନ୍ତିସେବା ହୁଏତ ସବା ଆଗ ଧାଡ଼ିରେ ଯାଇ ଠିଆ ହୋଇଥାନ୍ତା ଓ ପରିସ୍ଥିତିଗୁଡ଼ିକର ମୁକାବିଲା କରୁଥାନ୍ତା, ବହୁ ଭୀରୁତା ଏବଂ ନିରାଶ ଭିତରେ ସଙ୍ଗଠିତ ସାହସ ଏବଂ ସଙ୍ଗଠିତ ଆଶାର ନିଦର୍ଶକ ହୋଇ ରହିଥାନ୍ତା । ସେମାନେ କୁଆଡ଼େ ଗଲେ ? ସେମାନେ ଯଦି ଥାଆନ୍ତେ, ତେବେ ବର୍ତ୍ତମାନର ଧୂର୍ତ୍ତମାନେ ଦେଶର ଏକତା ଓ ସଂହତି ନାମରେ କୁମ୍ଭୀରବତ୍ ରାଜନୈତିକ କାନ୍ଦଣାମାନ କାନ୍ଦିବାକୁ ହୁଏତ ସାହସ ହିଁ କରୁନଥାନ୍ତେ ଏବଂ ସମଗ୍ର କାଳଟାକୁ ହସାଇ ହାସ୍ୟାସ୍ପଦ ଯାତ୍ରାମାନଙ୍କରେ ବାହାରୁନଥାନ୍ତେ । ଶାନ୍ତି ସେନା ମଧ୍ୟ କ’ଣ କେବଳ ଏକ ତାତ୍କାଳିକ କାର୍ଯ୍ୟକ୍ରମ ହୋଇ ରହିଥିଲା ଏବଂ ତାହାର ପ୍ରବକ୍ତାମାନେ ବୃଦ୍ଧ ହୋଇଯିବାରୁ ସ୍ଵୟଂ ବୃଦ୍ଧ ହୋଇ ଝଡ଼ିପଡ଼ିଲା ?

 

ଏବେ ଆମ ଦେଶରେ ଯେଉଁ ସବୁ ସ୍ଵେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି, ଆମେ ସେମାନଙ୍କୁ କେତେ ପରିମାଣରେ ପୂର୍ବର ସେହି ରଚନାତ୍ମକ କାର୍ଯ୍ୟକ୍ରମର ଦାୟାଦ ବୋଲି କହିପାରିବା ବା ନପାରିବା, ସେହି ବିଷୟରେ ନିଶ୍ଚୟ ଏକାଧିକ ମତ ରହିବ । ସରକାରୀ କଳଟା ଯେଉଁଠାରେ କେବଳ ଲମ୍ବା ଗୋଡ଼ିଆ ହୋଇ ଛିଡ଼ା ହୋଇଛି, ମଣିଷମାନଙ୍କ ପାଇଁ ଅଭିପ୍ରେତ ବହୁ ସମ୍ବଳକୁ ପ୍ରଧାନତଃ ବାଟମାରଣା କରିବାରେ ସହାୟତା କରୁଛି, ସେହି ପରିପ୍ରେକ୍ଷୀରେ ସ୍ଵେଚ୍ଛାସେବୀ ସଂସ୍ଥାମାନଙ୍କର ଏକ ଆବଶ୍ୟକତା ଏବଂ ସ୍ଵତନ୍ତ୍ର ଭୂମିକା ଅବଶ୍ୟ ରହିବ । ଏହି ସ୍ଵେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ମଝିରେ ରହି ଏକ ଅପହଞ୍ଚ ରାଜ୍ୟ ବ୍ୟବସ୍ଥାକୁ ଲୋକମାନଙ୍କ ପାଇଁ ଯଥାସମ୍ଭବ ପହଞ୍ଚ କରିବାରେ ସାହାଯ୍ୟ କରୁଛନ୍ତି । ସେମାନେ ସରକାରଙ୍କଠାରୁ ପଇସା ଆଣୁଛନ୍ତି, କେତେକ ଅନୁଷ୍ଠାନ ସରକାରଙ୍କର ଅନୁମତି ନେଇ ବିଦେଶରୁ ମଧ୍ୟ ଅର୍ଥ ସଂଗ୍ରହ କରୁଛନ୍ତି । କୂଅ ହେଉଛି, କଟା ଖୋଳା ହେଉଛି; ଯେଉଁସବୁ କ’ଣ ଓ କନ୍ଦିରେ ସରକାରୀ ଶିକ୍ଷା ବରାଦ ଓ ଶିକ୍ଷାଶାଳାମାନ ଥାଇ ମଧ୍ୟ ତଥାପି ଇସ୍କୁଲ ଚାଲୁନାହିଁ; ସ୍ଵେଚ୍ଛାସେବୀ ସଂସ୍ଥାମାନେ ସେଠାରେ ରାତି ଇସ୍କୁଲ କରୁଛନ୍ତି । ଶିଷ୍ଟମାନଙ୍କ ଭାଷାରେ ତାହାକୁ ଅଣ-ଆନୁଷ୍ଠାନିକ ଶିକ୍ଷା ବୋଲି କୁହାଯାଉଛି । କେତେକ ବିଶେଷ ଢାଞ୍ଚାକୁ ନବସୃଜନ-ଶିକ୍ଷା ବୋଲି କୁହାଯାଇଛି । ଏସବୁ ଯାବତୀୟ କାର୍ଯ୍ୟକ୍ରମ ଚାଲିଛି ଲୋକମାନଙ୍କୁ ଅଧିକ ସଜ୍ଞାନ ଓ ସଚେତନ କରାଇବା ପାଇଁ । ବିଦେଶର ସାହାଯ୍ୟ ଦାତାମାନେ ଯେ ପ୍ରଧାନତଃ ସବାତଳେ ଥିବା ଦୂର ଦେଶମାନଙ୍କର ମଣିଷମାନଙ୍କୁ ସଚେତନ କରାଇବାର ବିଭିନ୍ନ ବ୍ୟଞ୍ଜନା ଓ ସମ୍ଭାବନା ବିଷୟରେ ସ୍ଵୟଂ ସଚେତନ ରହିଛନ୍ତି, ସେ କଥା କିଏ କହିପାରିବ ? ହୁଏତ ସେମାନେ ପ୍ରଧାନତଃ ନିଜର ବଦାନ୍ୟତା ହେତୁ ଆପଣାର ବିବେବକୁ କିଞ୍ଚିତ୍ ସନ୍ତୋଷ ଦେବା ପାଇଁ ଏସବୁ ସାହାଯ୍ୟ ଦେଉଛନ୍ତି ।

 

ଏବଂ ସଚେତନ କରାଇବା ବିଷୟରେ ଖୋଦ୍ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନେ ବି ପ୍ରକୃତରେ କ’ଣ ସବୁ ବୁଝୁଛନ୍ତି ? ନିଜର ଆର୍ଥିକ ଅବସ୍ଥାରେ ଉନ୍ନତି ସାଧନ କରାଇବା, ଦେଶରେ ଅଧିକ ସାମଗ୍ରୀ ଭୋଗ କରୁଥିବା ଅନ୍ୟମାନଙ୍କ ଭଳି ଚାଲାଖ ଚତୁର ହେବା, ଉପରବାଲାଙ୍କ ସହିତ କାରବାର ହେବାଦ୍ଵାରା କ୍ରମେ ଆପଣାଠାରୁ ଅଧିକ ନିପୀଡ଼ିତ ଅବସ୍ଥାରେ ରହିଥିବା ବହୁ ସଂଖ୍ୟକ ମଣିଷଙ୍କୁ ନିମ୍ନ ନଜରରେ ଦେଖିବା ଏଗୁଡ଼ିକ ମଧ୍ୟ ସଚେତନତାର ଗୋଟିଏ ଗୋଟିଏ ପାହାଚ ହୋଇପାରେ । ଏପରି ଏକ ସମାଜ, ଯେଉଁଥିରେ କି ମଣିଷକୁ, ପ୍ରତ୍ୟେକ ମଣିଷକୁ ସମ୍ମାନ ସହିତ ଦେଖାଯିବ, ସେହି ଅନୁସାରେ ଦେଶର ଅର୍ଥନୀତି ଓ ଶିକ୍ଷା ଆପଣାଙ୍କୁ ଅବଶ୍ୟ ଅନୁକଳିତ କରି ରଖିବ, ଭାରତବର୍ଷର ତଳ ମଣିଷକୁ ଏହିପରି ଏକ ଅଭିଳାଷଦ୍ଵାରା ସଙ୍ଗଠିତ ଓ କ୍ରିୟାଶୀଳ କରି ଭାରତୀୟ ସମାଜର ଅନୁରୂପ ପରିବର୍ତ୍ତନ ଲାଗି ସଚେତନ କରି ଗଢ଼ି ଆଣିବା, ଏଇଟି ମଧ୍ୟ ସଚେତନତାର ଏକ ଆଭିମୁଖ୍ୟ ହୋଇପାରେ । ଗାନ୍ଧିଜୀ ଯାହାକୁ ସାମାଜିକ ବିପ୍ଳବ ବୋଲି କହିଥିଲେ ଓ ଯେଉଁ ବିପ୍ଳବଟିକୁ ଏ ପର୍ଯ୍ୟନ୍ତ ଗଡ଼ାଇ ଦିଆଯାଇ ଆସିଛି, ସେହି ବିପ୍ଳବ କ’ଣ ଭାରତବର୍ଷରେ କେବେହେଲେ ହେବ ନାହିଁ ? ସେହି ବିପ୍ଳବର ଆବଶ୍ୟକ ପ୍ରକ୍ରିୟାଗୁଡ଼ିକରେ ସତକୁ ସତ ଅଗ୍ରଗାମୀ ରୂପେ କାର୍ଯ୍ୟ କରିବା ନିମନ୍ତେ ସ୍ଵେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ପାଖରେ ଆବଶ୍ୟକ ମୂଳ ବିଶ୍ଵାସ ଏବଂ ଆବଶ୍ୟକ ଲକ୍ଷ୍ୟଗତ ପୁଞ୍ଜି ରହିଛି କି ? ପୁରୁଣା ଗୋଦାମରୁ ପଇସା ନେଇ ସେହି ପୁରୁଣାର ବରାଦ ଅନୁସାରେ କାର୍ଯ୍ୟ କରିବାର ଏକ ଜାଲରେ ବାନ୍ଧି ହୋଇ ରହିଥିବା ପର୍ଯ୍ୟନ୍ତ ଏହି ଅନୁଷ୍ଠାନମାନେ ସେହି ଦିଗରେ ପ୍ରକୃତରେ କିଛି କରିପାରିବେ କି ?

 

ସର୍ବଶେଷରେ ଅସଲ ପ୍ରଶ୍ନ ହେଉଛି, ଉପରୁ ଦୟାର ପ୍ରଦର୍ଶନ ହୋଇ ତଳଟା ବଦଳିବ ନା ତଳେ ରହିଥିବା ମଣିଷ ଯାହା ଯେପରି ଅଛି, ତାହାକୁ ଏକାନ୍ତ ଅସହନୀୟ ବୋଲି ଅନୁଭବ କଲେ ଯାଇ ତାହାର ଭାଗ୍ୟୋଦୟ ହେବ ? ସରକାରୀ ସବୁ କଥା ପ୍ରଧାନତଃ ଉପରୁ ହୋଇଛି । ଭାରତବର୍ଷରେ ପ୍ରାୟ ଆବହମାନ କାଳରୁ ଶିଷ୍ଟ ଓ ସମ୍ପନ୍ନମାନେ ହିଁ ବଞ୍ଚିତମାନଙ୍କର କଥା ଭାବିଛନ୍ତି ଏବଂ ବଞ୍ଚିତମାନେ କର୍ମ ଆଦରି ରହିଛନ୍ତି । ଉପରର ଦୟାକୁ ମଧ୍ୟ ସେମାନେ ପ୍ରଧାନତଃ ସେହି କର୍ମର ହିଁ ‘ଅବଦାନ’ ବୋଲି ଭାବି ଆସିଛନ୍ତି । ସେଇଥିଲାଗି ଅସଲ ପରିବର୍ତ୍ତମାନ ହେଉନାହିଁ । ଅସଲ ଶକ୍ତିର ଜାଗରଣ ହେଉନାହିଁ । ସ୍ଵାଧୀନ ଭାରତର ସର୍ବୋଦୟ ଆନ୍ଦୋଳନ ମଧ୍ୟ ପ୍ରାୟ ତତ୍ତୁଲ୍ୟ ଏକାଧିକ କାରଣରୁ ଏକ ଆନ୍ଦୋଳନର ସ୍ତରରୁ ଖସି ଆସି କ୍ରମେ ଭଲ ମଣିଷମାନଙ୍କର ଗୋଟିଏ ଭଲ କାମରେ ପର୍ଯ୍ୟବସିତ ହୋଇ ରହିଗଲା । ଭଲ କାମ ବହୁତ ହେଲା, ମାତ୍ର ସମାଜର ମୂଳଭୂତ ପରିବର୍ତ୍ତନ ହେଲା ନାହିଁ । ଏହି କଥାଗୁଡ଼ିକୁ ଦୃଷ୍ଟି ସମକ୍ଷରେ ରଖି ରଚନାତ୍ମକ କର୍ମୀର ନିଜର ବର୍ତ୍ତମାନ ଭୂମିକାଟିକୁ ସ୍ଥିର କରିବା ଉଚିତ । ସତ୍ୟାଗ୍ରହର ତଥାପି ଏକ ପ୍ରାସଙ୍ଗିକତା ରହିଛି କି ? ଏହି ବିଷୟରେ ତା’ ଭିତରେ ଅନେକ ଅଧିକ ମନ୍ଥନ ହେବା ଉଚିତ । ସାମୂହିକ ଅବସରମାନଙ୍କରେ ମଧ୍ୟ ରଚନାତ୍ମକ କର୍ମୀମାନେ ତାହାରି ଆଲୋଚନା କରିବା ଉଚିତ । ମନୁଷ୍ୟ ବିରୋଧୀ system ଗୁଡ଼ିକ ସତକୁ ସତ ଯିବ ନା ଏହି system ଭିତରେ ଓ ସେହି systemକୁ ରାଜା ବୋଲି ମାନି ନେଇ ଆମର ଏହି ସମାଜର ସେବା କରିବା ଉଚିତ । ଏହି ବିଷୟରେ ସମ୍ପୃକ୍ତ ବହୁ ପ୍ରଶ୍ନକୁ ନେଇ ଏକ ସତତ କଥୋପକଥନ ବା dialogue ଆରମ୍ଭ ହୋଇଯିବା ଉଚିତ । ସେହି dialogueରୁ ହୁଏତ ଆଗକୁ ସମାଧାନ ବାହାରିବ ।

 

“ଧୈର୍ଯ୍ୟର ସହିତ ସମସ୍ତଙ୍କର

ଗାଳିମନ୍ଦର ସମ୍ମୁଖୀନ ହେବାକୁ ପଡ଼ିବ ।”

ଭୀରୁଲୋକମାନେ ନ୍ୟାୟ ସମ୍ପର୍କରେ ଅଜ୍ଞ ।

ଲୋକମତ ହିଁ କେବଳ ସମାଜକୁ ଶୁଦ୍ଧ

ଓ ସୁସ୍ଥ ରଖିପାରେ ।

–ଗାନ୍ଧିଜୀ

Image

 

ସ୍ଵରାଜ ଓ ସତ୍ୟାଗ୍ରହ

ଅନନ୍ତ ଗିରି

 

ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ “ରଚନାତ୍ମକ କାର୍ଯ୍ୟ ଓ ରଚନାତ୍ମକ କର୍ମୀ” ପ୍ରବନ୍ଧରେ ସାମ୍ପ୍ରତିକ ପରିପ୍ରେକ୍ଷୀରେ ସତ୍ୟାଗ୍ରହର ତାତ୍ପର୍ଯ୍ୟ ସମ୍ପର୍କରେ ଏକ ଗଭୀର ବିଶ୍ଳେଷଣ ଓ ପ୍ରତିଫଳନ ପାଇଁ ଆମ ସଭିଙ୍କୁ ଆହ୍ଵାନ ଜଣାଇଛନ୍ତି, ନିମନ୍ତ୍ରଣଟିଏ ଜଣାଇଛନ୍ତି । ଗାନ୍ଧୀଙ୍କର ସତ୍ୟାଗ୍ରହର ଆଭିମୁଖ୍ୟକୁ ବ୍ୟାଖ୍ୟା କରି ଶ୍ରୀଯୁକ୍ତ ଦାସ ଯୁକ୍ତି କରିଛନ୍ତି ଯେ, ସତ୍ୟାଗ୍ରହ କେବଳ ବ୍ରିଟିଶ ସରକାରଙ୍କ ବିରୋଧରେ ବ୍ୟବହାର ପାଇଁ ସୃଷ୍ଟି ହୋଇ ନଥିଲା । ଏହା ସକଳ ଶୋଷଣକାରୀ ଓ ମାନବ ଉତ୍ପୀଡ଼ନକାରୀ ସରକାର ଓ ବ୍ୟବସ୍ଥା ବିରୋଧରେ ଏକ ସତ୍ୟପ୍ରେରିତ ଓ ପରିବର୍ତ୍ତନକାମୀ ଆୟୂଧ ରୂପେ ବ୍ୟବହାର ପାଇଁ ଜନ୍ମ ହୋଇଥିଲା । ମାତ୍ର ସ୍ଵାଧୀନତା ପରେ ଭାରତବର୍ଷରେ ସବୁପ୍ରକାର ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ସତ୍ତ୍ୱେ ସତ୍ୟାଗ୍ରହ “ସିନ୍ଦୁକ” ଭିତରେ ରହିଗଲା । ଶ୍ରୀଯୁକ୍ତ ଦାସଙ୍କ ମତରେ–“ସ୍ଵାଧୀନ ଭାରତର ଗାନ୍ଧୀ ସଂସ୍ଥାମାନ ତାହାକୁ ସିନ୍ଦୁକ ଭିତରେ ରଖିଲେ”-। ଭାରତବର୍ଷ ସ୍ଵାଧୀନ ହେଲେ ମଧ୍ୟ ସେଠାରେ ଅନ୍ୟାୟୀମାନେ ଅବଶ୍ୟ ରହିବେ, ଅନ୍ୟାୟକୁ ପୋତ୍ସାହନ ଦେଲା ଭଳି ପରିବେଶ ଏବଂ ପ୍ରତିନିଧିମାନେ ଅବଶ୍ୟ ରହିବେ ଓ ତେଣୁ ସତ୍ୟାଗ୍ରହ ନିମନ୍ତେ ବି ଏକ ଅବକାଶ ଅବଶ୍ୟ ରହିବ ବୋଲି ଗାନ୍ଧିଜୀ ଏକାଧିକ ଅବସରରେ କହିଯାଇଥିଲେ ମଧ୍ୟ ସ୍ଵାଧୀନ ଭାରତରେ ତାଙ୍କର ପ୍ରତିଭୂମାନେ ସେହି ବିଷୟରେ ପାଟି ଫିଟାଇଲେ ନାହିଁ । ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ଦାସ “ସତ୍ୟାଗ୍ରହର ତଥାପି ଏକ ପ୍ରାସଙ୍ଗିକତା ରହିଛି କି ?” ସମ୍ପର୍କରେ ଏକ କଥୋପକଥନ ବା Dialogue ପାଇଁ ଆମ ସଭିଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ।

 

ଏହି କଥୋପକଥନର ରୂପରେଖ ଶ୍ରୀଯୁକ୍ତ ଦାସ ମୁକ୍ତ ରଖିଛନ୍ତି । ମାତ୍ର ସମ୍ଭବତଃ ସିଏ ଆତ୍ମ ନିରୀକ୍ଷା ଓ ପ୍ରଚଳିତ ବ୍ୟବସ୍ଥାର ବିଶ୍ଳେଷଣର ଏକ ମାପକାଠି ଆମ ନିକଟରେ ଉପସ୍ଥାପନା କରିଛନ୍ତି । ତାହା ହେଉଛି, “ମନୁଷ୍ୟ ବିରୋଧୀ ବ୍ୟବସ୍ଥା (System) ଗୁଡ଼ିକ ସତକୁ ସତ ଯିବ ନା ଏହି ବ୍ୟବସ୍ଥା ଭିତରେ ଓ ଏହି ବ୍ୟବସ୍ଥାକୁ ରାଜା ବୋଲି ମାନିନେଇ ଆମର ଏହି ସମାଜର ସେବା କରିବା ଉଚିତ ।” ସମ୍ଭବତଃ ଆମର କାମ୍ୟ କଥୋପକଥନକୁ ଆମେ ଏହି ଭୂମିରୁ ହିଁ ଆରମ୍ଭ କରିପାରିବା, ଯେଉଁଥିରେ ଗୋଟିଏ ପଟେ ମନୁଷ୍ୟବିରୋଧୀ ବ୍ୟବସ୍ଥା ରହିଛି ଓ ଅନ୍ୟପଟେ ଅସହାୟ ମଣିଷ ସମୂହ ଅଛନ୍ତି । ସତ୍ୟାଗ୍ରହର ସାମ୍ପ୍ରତିକ ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା ମନୁଷ୍ୟ ବିରୋଧୀ ବ୍ୟବସ୍ଥା ଓ ମାନବ ମର୍ଯ୍ୟାଦା ଭିତରେ ଥିବା ଅନ୍ତର୍ନିହିତ ଦ୍ଵନ୍ଦ୍ୱର ଆରମ୍ଭ ହୋଇପାରିବ । ସେଥିନିମିତ୍ତ ଆମକୁ ବ୍ୟବସ୍ଥାର ସାମ୍ପ୍ରତିକ ସମାଜତତ୍ତ୍ଵକୁ ବୁଝିବାକୁ ହେବ, ଯାହା ଆମକୁ ବୁଝିବାକୁ ସମର୍ଥ କରାଇବ କେମିତି କ୍ଷମତାର ଦୂର୍ଗ ବ୍ୟବସ୍ଥା ମାନେ ଆଜି ସାରା ପୃଥିବୀରେ କେବଳ ଯେ ବୃହତ୍ତର ବୃହତ୍ତର ହେବାରେ ଲାଗିଛନ୍ତି ତାହା ନୁହେଁ, ସେମାନେ ମଧ୍ୟ ଅଧିକ କ୍ଷମତାଶାଳୀ ହୋଇଛନ୍ତି । ବୃହତ୍ତର ଓ କ୍ଷମତାଶୀଳ ହେବା ପ୍ରକ୍ରିୟାରେ ବ୍ୟବସ୍ଥାମାନେ ମଣିଷମାନଙ୍କଠାରୁ ଅଧିକ ଦୂରେଇ ଯାଇଛନ୍ତି ଓ ବ୍ୟବସ୍ଥା ଏବଂ ମନୁଷ୍ୟ ଭିତରେ ଏହି ଦୂରତା ସତ୍ୟାଗ୍ରହ ପାଇଁ ନୂତନ ଉପାଦେୟତା ଓ ପ୍ରାସଙ୍ଗିକତା ସୃଷ୍ଟି କରିଛି ।

 

ଏବେ ପୃଥିବୀର ପ୍ରତ୍ୟେକ ସମାଜରେ ସମାଜର ପାରମ୍ପରିକ ସାମାଜିକ ଅନୁଷ୍ଠାନମାନ ବୃହତ୍ତର ଓ ନୂତନ ସାମାଜିକ ବ୍ୟବସ୍ଥାମାନଙ୍କ ଭିତରେ ଲୀନ ହୋଇଯାଉଛନ୍ତି । ଏହି ବ୍ୟବସ୍ଥା ମାନେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବଳରେ ଆପଣାର କ୍ଷମତା ଓ ବାହୁକୁ ବହୁଗୁଣିତ ଓ ବହୁ ଶକ୍ତିଶାଳୀ କରିଛନ୍ତି । ଏହି ବ୍ୟବସ୍ଥାକୁ ଯେଉଁମାନେ ଚଲାଉଛନ୍ତି, ସେମାନଙ୍କ ପାଖରେ ପ୍ରଚୁର ଜ୍ଞାନ ଓ କ୍ଷମତା ରହିଛି । ଏମାନଙ୍କୁ ଅର୍ଥାତ୍ ବ୍ୟବସ୍ଥା ସଞ୍ଚାଳକମାନଙ୍କୁ ଆମେ ପ୍ରଫେସନାଲ (Professional) ବୋଲି କହିପାରିବା । ଏହି ପ୍ରଫେସନାଲ ମାନଙ୍କ ମଧ୍ୟରେ ଡାକ୍ତର, ଇଞ୍ଜିନିଅର, ବୈଜ୍ଞାନିକ, ବ୍ୟାଙ୍କ ମ୍ୟାନେଜର, ସାମ୍ବାଦିକ ଓ ରାଜନୈତିକ ନେତାମାନେ ଅଛନ୍ତି । ବ୍ୟବସ୍ଥାକୁ ଚଳାଇବାରେ ଏହିମାନେ ମୁଖ୍ୟ ଭୂମିକା ନେଉଛନ୍ତି । କେବଳ ସେତିକି ନୁହେଁ, ବ୍ୟବସ୍ଥା ଭିତରେ ଓ ବ୍ୟବସ୍ଥା ବାହାରେ କୌଣସି ଦ୍ଵନ୍ଦ୍ୱ ଉପୁଜିଲେ କ୍ଷମତାସୀନ ତଥାକଥିତ ଏହି ଜ୍ଞାନୀ ଲୋକମାନଙ୍କର ମତକୁ ସରକାର ମାଗୁଛନ୍ତି ଓ ମାନିନେଉଛନ୍ତି । ବ୍ୟବସ୍ଥାମାନଙ୍କ ଭିତରେ ଯେଉଁ ପରିଚାଳକ ଅଛନ୍ତି–Professional ମାନେ ଅଛନ୍ତି–ସେହିମାନେ ହିଁ ଆଜି ଆମର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ।

 

ମାତ୍ର ବ୍ୟବସ୍ଥାର ପରିଚାଳକମାନେ କ’ଣ ମଣିଷର ନୂଆ ଫିରିଙ୍ଗି ଶାସକ ନୁହନ୍ତି କି ? ଏହି ପରିଚାଳକମାନେ ବ୍ୟବସ୍ଥାର ପ୍ରତିନିଧି ହିସାବରେ କେବଳ ବ୍ୟବସ୍ଥାର ସ୍ଵାର୍ଥ ଦେଖନ୍ତି । ମାତ୍ର ବ୍ୟବସ୍ଥାର ସ୍ଵାର୍ଥ ଓ ମାନବ ମର୍ଯ୍ୟାଦାର ସ୍ଵପ୍ନ ଏକା କଥା ନୁହେଁ । ଗୋଟିଏ ଆଦର୍ଶ ସମାଜ ହେଉଛି ତାହା, ଯେଉଁଥିରେ ବ୍ୟବସ୍ଥାମାନେ ମଣିଷର ଭାଗ୍ୟ ନିୟନ୍ତ୍ରଣ କରନ୍ତି ନାହିଁ; ମାତ୍ର ଅନୁଷ୍ଠାନମାନେ ବ୍ୟକ୍ତି ବ୍ୟକ୍ତି ଭିତରେ, ସମାଜ ଓ ସମାଜ ଭିତରେ ସଂଯୋଗ ସ୍ଥାପନ କରନ୍ତି । ମାତ୍ର ସାରା ପୃଥିବୀରେ ଆଜି ସତ୍ୟ ଓ ନ୍ୟାୟ ଉପରେ ପ୍ରତିଷ୍ଠିତ ଅନୁଷ୍ଠାନମାନ ବ୍ୟବସ୍ଥାର ରାହୁଗ୍ରାସରେ ଧ୍ଵଂସ ପାଇଯାଉଛନ୍ତି । ତିଷ୍ଠି ରହିଥିବା ଅନୁଷ୍ଠାନମାନେ ଏବେ ଗଭୀର ନୈତିକ ସଙ୍କଟ ମଧ୍ୟ ଦେଇ ଯାଉଛନ୍ତି । ଅପରପକ୍ଷରେ ବ୍ୟବସ୍ଥାମାନେ ଆଜି କ୍ଷମତାର ସକଳ ଆୟୁଧ ଧରି ବୀଭତ୍ସ ନୃତ୍ୟ କରୁଛନ୍ତି । ଏହା ଏକ ନୂତନ ଔପନିବେଶବାଦ ସୃଷ୍ଟି କରିଛି, ଯେଉଁଥିରେ ବ୍ୟବସ୍ଥାର ସଞ୍ଚାଳକ ପ୍ରଫେସନାଲମାନେ ଆମର ନୂତନ ମୁନିବ ହୋଇଛନ୍ତି । ଜର୍ମାନ୍ ସମୀକ୍ଷକ Jurgen Habermasଙ୍କ ଭାଷାରେ ସେମାନେ ଆମର ନୂତନ Colonial master ହୋଇଛନ୍ତି ।

 

ବ୍ୟବସ୍ଥାର ଏହି ଯେଉଁ ନବ୍ୟ ଉପନିବେଶବାଦ, ତାହା ଆଜି ସର୍ବତ୍ର କ୍ରିୟାରତ । ଯେଉଁ କ୍ରିୟାଶୀଳତାରେ ନାଁ ଜାତି ଅଛି, ନାଁ ଧର୍ମ ଅଛି, ନାଁ ବର୍ଣ୍ଣ ଅଛି, ନାଁ ଶ୍ରେଣୀ ଅଛି । ଏଥିରେ କେବଳ କ୍ଷମତାସୀନମାନେ ଅଛନ୍ତି ଓ ଏହି କ୍ଷମତାସୀନମାନେ ସ୍ଵଦେଶୀ ହୁଅନ୍ତୁ ବା ସର୍ବହରା ଶ୍ରେଣୀର ହୁଅନ୍ତୁ, ଏମାନଙ୍କ ଏକମାତ୍ର ପରିଚୟ ହେଉଛି ଯେ, ଏମାନେ ମନୁଷ୍ୟ ବିରୋଧୀ । ବ୍ୟବସ୍ଥାର ଶାସକ ଓ ଏହି ଶାସନକୁ ଆଖିବୁଜି ସମାଧାନ କରୁଥିବା ବ୍ରାହ୍ମଣମାନେ ଆଜି ଜ୍ଞାନ ଓ କ୍ଷମତାକୁ ନିଜର ସ୍ଵାର୍ଥ ପାଇଁ ବ୍ୟବହାର କରୁଛନ୍ତି । ବିଶେଷକରି ଯେଉଁମାନଙ୍କ ପାଖରେ ପ୍ରଫେସନାଲ ଜ୍ଞାନ ଅଛି, ସେମାନେ ଆଜି କେବଳ କ୍ଷମତାଧୀଶ ରାଜନୀତଜ୍ଞମାନଙ୍କୁ ସୁହାଇବା ଭଳି କଥା କହୁଛନ୍ତି ତାହା ନୁହେଁ, ସେମାନେ ମଧ୍ୟ ସାଧାରଣ ଲୋକଙ୍କୁ ସତ କଥା କହୁ ନାହାନ୍ତି । ସତ୍ୟାଗ୍ରହର ଏଇଠି ହିଁ ଆବଶ୍ୟକତା ରହିଛି । ବ୍ୟବସ୍ଥାର ଔପନିବେଶବାଦ ଓ ଏଥିରେ ପ୍ରଫେସନାଲମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ସତ୍ୟାଗ୍ରହ ପାଇଁ ନୂତନ ଅବକାଶ ସୃଷ୍ଟି କରୁଛି । ଏଥିରେ ପ୍ରଥମ କଥା ହେଉଛି ଯେ, ଯଦି ବ୍ୟବସ୍ଥାର ପରିଚାଳକ ଓ ଏହାର ପ୍ରଫେସନାଲ ଜ୍ଞାନୀମାନେ ସତ୍ୟ ନ ବୋଲିବେ, ତେବେ ମାନବ ମର୍ଯ୍ୟାଦାର ରକ୍ଷା ହୋଇପାରିବ କିପରି ? ଯେଉଁମାନଙ୍କ ପାଖରେ ଜ୍ଞାନ ଓ କ୍ଷମତା ରହିଛି, ସେମାନେ ଆପଣାର ଜ୍ଞାନକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଚିତ ଓ ଆଶାୟୀ ଜନସାଧାରଣଙ୍କୁ ପ୍ରଦାନ କରିବା ଉଚିତ । ମାତ୍ର ଏହି ଜ୍ଞାନ ନିବେଦନ ବ୍ୟବସ୍ଥାପକମାନଙ୍କ ମଧ୍ୟରେ ଏକ ସତ୍ୟାଗ୍ରହ ଅର୍ଥାତ୍ ସତ୍ୟ ପ୍ରତି ଆଗ୍ରହ ବିନା ସମ୍ଭବ କି ? ବ୍ୟବସ୍ଥାର ପରିଚାଳକ ଓ ବଡ଼ପଣ୍ଡାମାନଙ୍କର ହୃଦୟରେ ସତ୍ୟ କହିବା ନିମିତ୍ତ ଏକ ପ୍ରତିଜ୍ଞାବୋଧ ବିନା ସମ୍ଭବ କି ? ଏହି ସମ୍ପର୍କରେ ଅଧ୍ୟୟନ କରୁଥିବା ସମାଜବିଜ୍ଞାନୀମାନେ ଆମକୁ କହନ୍ତି ଯେ, ଏବେ ଜ୍ଞାନୀ ଲୋକମାନେ ଆପଣାର ଜ୍ଞାନକୁ ସାଧାରଣ ଜନତାଙ୍କଠାରୁ ଦୂରେଇ ରଖୁଛନ୍ତି, ଲୁଚାଇ ରଖୁଛନ୍ତି କାରଣ ଏମିତି କରିବା ଦ୍ଵାରା ସେମାନେ ଆପଣାର ଜ୍ଞାନକୁ, ଆପଣାର ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ବ୍ୟବହାର କରିପାରୁଛନ୍ତି । ଅପରପକ୍ଷରେ ବ୍ୟବସ୍ଥାର ଏହି ପଣ୍ଡାମାନଙ୍କର ଏମିତି ଅସତ୍ ବ୍ୟବହାରକୁ ରୋକିବା ପାଇଁ ଆଇନ ଯଥେଷ୍ଟ ନୁହେଁ । ଉଦାହରଣ ସ୍ଵରୂପ, ଡାକ୍ତରମାନଙ୍କ କଥା ନିଆଯାଉ । ଡାକ୍ତରମାନେ ରୋଗୀମାନଙ୍କ ସହ ସଦ୍‍ବ୍ୟବହାର କରିବା ଉଚିତ । ମାତ୍ର ଅନେକ କ୍ଷେତ୍ରରେ ସେମାନେ ରୋଗୀମାନଙ୍କୁ ସତକଥା କହୁନାହାନ୍ତି, ସତ୍ୟ ତଥ୍ୟ ଯୋଗାଉନାହାନ୍ତି ବୋଲି ସେମାନଙ୍କର Malpracticeକୁ ରୋକିବାକୁ ନାନା ଆଇନ ପ୍ରଣୀତ ହୋଇଛି । ମାତ୍ର ଏହିସବୁ ଫଳରେ ସମସ୍ୟାର ସମାଧାନ ହୋଇଛି କି ? ଉଦାହରଣ ସ୍ଵରୂପ ଆମେରିକା ଭଳି ଗୋଟିଏ ସମାଜରେ ପ୍ରଫେସନାଲମାନଙ୍କର ଅସଦ୍ ଆଚରଣକୁ ରୋକିବାକୁ ହୋଇଥିବା ଆଇନମାନ ସକଳ ପ୍ରକ୍ରିୟାକୁ ଅଧିକ ଜଟିଳ ହିଁ କରାଇଛି ।

 

ଶ୍ରୀଯୁକ୍ତ ଦାସଙ୍କର ମୂଳ ପ୍ରଶ୍ନ–“ଏବେ ସତ୍ୟାଗ୍ରହର ତଥାପି କିଛି ପ୍ରାସଙ୍ଗିକତା ରହିଛି କି” କୁ ଫେରି ଆସିଲେ ଆମେ ବୁଝିପାରିବା ଯେ, ଏବେ ସତ୍ୟାଗ୍ରହର ସର୍ବପ୍ରଥମ ପ୍ରାସଙ୍ଗିକତା ଏଇଠି ରହିଛି ଯେ’ ଏବେ ଜ୍ଞାନ କ୍ଷମତାର ଭୃତ୍ୟ ହୋଇଛି, ସତ୍ୟର ନୁହେଁ । ବ୍ୟବସ୍ଥା ଓ ବ୍ୟବସ୍ଥାକୈନ୍ଦ୍ରିକ ଜ୍ଞାନର ସାମ୍ପ୍ରତିକ ଔପନିବେଶବାଦରେ ଆମ ସମସ୍ତଙ୍କପାଇଁ ଆହ୍ଵାନ ହେଉଛି ଆମର ଜ୍ଞାନ ଓ ବିଜ୍ଞାନ କେମିତି ସତ୍ୟର ସେବକ ହେବ, କ୍ଷମତାର ନୁହେଁ । ଏହା ବାସ୍ତବରେ କେମିତି ସମ୍ଭବ ? ଆମର ଆଧୁନିକ ସମାଜରେ ଆମେ ସବୁ କିଛି କ୍ଷମତା ପାଇଁ କରୁଛୁ । କେବଳ ଭାରତବର୍ଷ କାହିଁକି, ସାରା ପୃଥିବୀର ପାରମ୍ପରିକ ସମାଜ ବା Traditional societiesମାନଙ୍କର ଧର୍ମଜ୍ଞାନ ଓ ବିଜ୍ଞାନକୁ ସତ୍ୟମୁଖୀ କରାଉଥିଲା । ମାତ୍ର ଆଧୁନିକ ସମାଜର ନୂଆ ରାଜା ହେଉଛି ରାଜନୀତି-କ୍ଷମତା-ପ୍ରଣୋବିତ ରାଜନୀତି, ଯାହାର ରାଜତ୍ଵରେ ଜ୍ଞାନ, କ୍ଷମତା ଓ ସତ୍ୟ ଭିତରେ ଏକ ବିକୃତ ସମ୍ପର୍କ ସ୍ଥାପିତ ହୋଇଛି । ମାତ୍ର ସବୁପ୍ରକାର ଜଟିଳତା ସତ୍ତ୍ୱେ ତଥାପି ସାମ୍ପ୍ରତିକ ଭୂମିରେ ଏକ ମାନବ ମର୍ଯ୍ୟାଦା ପୂର୍ଣ୍ଣ ସଂସାର ଗଢ଼ିବାକୁ ମନ କରୁଥିବା ଆମ ସମସ୍ତଙ୍କ ପାଇଁ ଏବେ ସବୁଠାରୁ ବଡ଼ ଆହ୍ଵାନ ହେଉଛି ଆମର ଜ୍ଞାନ ଓ ବିଜ୍ଞାନ ପୁଣି କେମିତି ସତ୍ୟର ସେବକ ହେବା ? ଆମର ରାଜନୀତି କେବଳ କ୍ଷମତା ପାଇଁ ନ ହୋଇ ପୁଣି କେମିତି Experiments with truth ହେବ ? ?

 

ଜ୍ଞାନ, ସତ୍ୟ ଓ ଭକ୍ତି ଭିତରେ ନୂତନ ସେତୁ ନିର୍ମାଣ କରିବା ବାସ୍ତବରେ ଏକ ସତ୍ୟାଗ୍ରହର ପ୍ରକ୍ରିୟା । ଉଭୟ ଜ୍ଞାନୀ/କ୍ଷମତାସୀନ ଓ ନିରକ୍ଷର / କ୍ଷମତା ରହିତ ମଧ୍ୟରେ ସତ୍ୟ ପ୍ରତି ଏକ ଗଭୀର ଆଗ୍ରହ ବିନା ଜ୍ଞାନ ଓ ସତ୍ୟ ଭିତରେ ହୋଇଥିବା ଆଧୁନିକ ବନ୍ଧନୀମାନଙ୍କୁ ଭାଙ୍ଗି ଏକ ନୂତନ ପ୍ରୀତିର ସେତୁ ପ୍ରତିଷ୍ଠା କରିବା ସମ୍ଭବ ନୁହେଁ । ସତ୍ୟାଗ୍ରହକୁ ଏକ ସଂଗ୍ରହାଳୟର ଦୟନୀୟ ସାମଗ୍ରୀକ ରୂପେ ନରଖି ଏହାକୁ ଜୀବନ ନିର୍ମାଣର ଏକ ସାମ୍ପ୍ରତିକ ମନ୍ତ୍ର ରୂପେ ବ୍ୟବାହାର କରିବାକୁ ଚାହୁଁଥିବା ଆମ ସମସ୍ତଙ୍କ ନିମନ୍ତେ ଏହା ଏକ ଆହ୍ଵାନ । ସତ୍ୟାଗ୍ରହ ପ୍ରକ୍ରିୟା ଏଠାରେ ସ୍ଥୂଳତଃ ଓ ସର୍ବଶେଷରେ ଏକ ବିବେକ ଉଦ୍‍ବୋଧନର ପ୍ରକ୍ରିୟା, ନୈତିକ ଜାଗରଣର ପ୍ରକ୍ରିୟା । ଉଭୟେ କର୍ତ୍ତା ଓ କର୍ମ ଭିତରେ, ରାଜା ଓ ପ୍ରଜା ଭିତରେ, ପ୍ରଫେସନାଲ ଓ ସିଟିଜେନ୍ (ନାଗରିକ ମଧ୍ୟରେ ଏକ ନୈତିକ ଜାଗରଣର ପ୍ରକ୍ରିୟା । ଏହା ମଧ୍ୟ ନିଜ ଭିତରେ ଥିବା ସତ୍ୟାତ୍ମକୁ ଆବିଷ୍କାର କରିବାର ପ୍ରକ୍ରିୟା । ନିଜ ଭିତରେ ଥିବା ଏକ ସାର୍ବଜନୀନ ସତ୍ତାକୁ ଆବିଷ୍କାର କରିବାର ପ୍ରକ୍ରିୟା, ଯେଉଁ ସତ୍ତା ସବୁ ମଣିଷ ଓ ସବୁ ଜୀବନ୍ତଙ୍କ ମଧ୍ୟରେ ବିଦ୍ୟମାନ ଓ ଯାହା କ୍ଷମତା ଓ ଅର୍ଥର କୃତ୍ରିମ ବ୍ୟବଧାନକୁ ତୁଚ୍ଛ ମଣି ନିଜକୁ ଏହି ସବୁ କୃତ୍ରିମ ବ୍ୟବଧାନ ସୃଷ୍ଟି କରିବାଠାରୁ ଦୂରେଇ ନେଇଥାଏ । ଏହା ନିଜ ଭିତରେ ଏକ ପ୍ରତିଫଳନଶୀଳ, ବିଚାରବନ୍ତ ଆତ୍ମାକୁ ଆବିଷ୍କାର କରିବାର ପ୍ରକ୍ରିୟା ଯାହାକୁ ଭାରତର ମୁନି ଋଷିମାନେ ସାକ୍ଷୀ ପୁରୁଷ ବୋଲି କହିଛନ୍ତି ଓ ଆଧୁନିକ ସମାଜ ବିଜ୍ଞାନୀମାନେ ‘Reflexive self’ ବୋଲି କହୁଛନ୍ତି ।

 

ମାତ୍ର ସତ୍ୟାଗ୍ରହର ଏହି ବିବେକ ଉଦ୍‍ବୋଧନ ଓ ସତ୍ୟାତ୍ମା ଆବିଷ୍କାରର ପ୍ରକ୍ରିୟା, ଏକ ରହସ୍ୟାବୃତ୍ତ ପ୍ରକ୍ରିୟା ନୁହେଁ, ଏହା ମଧ୍ୟ ଏକ ଅଲୌକିକ ପ୍ରକ୍ରିୟା ନୁହେଁ । ଏହା ଏକ କର୍ଷଣର ପ୍ରକ୍ରିୟା, ଅଭ୍ୟାସର ପ୍ରକ୍ରିୟା ଓ ସାଧନାର ପ୍ରକ୍ରିୟା, ଯେଉଁ ପ୍ରକ୍ରିୟାକୁ ସମାଜର ଶିକ୍ଷାନୁଷ୍ଠାନମାନ ବ୍ୟକ୍ତି ମଧ୍ୟରେ ସଞ୍ଚରି ପାରିବେ । ବାସ୍ତବରେ ସତ୍ୟାଗ୍ରହକୁ ସମାଜ ପରିବର୍ତ୍ତନରେ ଏକ ଆୟୁଧ ରୂପେ ବ୍ୟବହାର କରିବାକୁ ମନ କରୁଥିଲେ ଆମକୁ ଏବେ ନୂତନ ଅନୁଷ୍ଠାନ ସୃଷ୍ଟି କରିବାରେ ମନୋନିବେଶ କରିବାକୁ ହେବ । ଯେଉଁ ଅନୁଷ୍ଠାନମାନେ ଆମ ଭିତରେ ସତ୍ୟ ପ୍ରତି ଆଗ୍ରହକୁ ଜାଗ୍ରତ କରିବେ, ଆମ ଭିତରେ ଥିବା ଜାଜ୍ଜ୍ୱଲ୍ୟମାନ ମାତ୍ର ଲୁକ୍‍କାୟିତ ସତ୍ତାକୁ ଆବିଷ୍କାର କରିବାକୁ ସମର୍ଥ କରାଇବେ । ଏହି ପରିପ୍ରେକ୍ଷୀରେ ଶିକ୍ଷା ଓ ଜୀବନ ବିଦ୍ୟାଳୟର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି-। ବିଶେଷକରି ଏକ ପୂର୍ଣ୍ଣାଙ୍ଗ ଶିକ୍ଷାର ଆବଶ୍ୟକତା ରହିଛି; ଯାହା ଆମର ଜ୍ଞାନ, ବିଜ୍ଞାନ ଓ ଟେକ୍‍ନିକ୍‍ମାନଙ୍କୁ ଆମର ଆତ୍ମାର ଆୟୁଧ ରୂପେ ବ୍ୟବହାର କରିବାକୁ ସମର୍ଥ କରାଇବ । ମାତ୍ର ଏହି କ୍ଷେତ୍ରରେ ସମାଜର ସକଳ ଅନୁଷ୍ଠାନମାନଙ୍କର ଭୂମିକା ମଧ୍ୟ ଗୁରୁତ୍ଵପୂର୍ଣ୍ଣ । ଆମେ ଏବେ ସକଳ ଅନୁଷ୍ଠାନଙ୍କୁ କେବଳ ରାଷ୍ଟ୍ର ଓ ବ୍ୟବସ୍ଥା ଜଗତର ଭୃତ୍ୟ କରିଛୁ । ଯାହାଫଳରେ ଅନୁଷ୍ଠାନମାନେ ଆପଣାର ନୈତିକ ଦୀପ୍ତି ହରାଇ ବସିଛନ୍ତି । ମାତ୍ର ଆମ ଭିତରେ ସତ୍ୟ ପ୍ରତି ଜାଗ୍ରତ କରିବାରେ ସହାୟକ ଅନୁଷ୍ଠାନମାନଙ୍କୁ ଏବେ ଆମକୁ ନିତ୍ୟନିୟତ ବିକାଶ ଓ ଉତ୍ତୋଳନର ନୂତନ ଆହ୍ଵାନ ନେବାକୁ ହେବ । ମୂଳକଥା ହେଉଛି ଆମକୁ ଏମିତି ଅନୁଷ୍ଠାନମାନ ସୃଷ୍ଟି କରିବାକୁ ହେବ; ଯେଉଁ ଅନୁଷ୍ଠାନମାନ ଆମକୁ ଶୀଘ୍ର ସନ୍ତୁଷ୍ଟ କରି ଶୁଆଇ ପକାଇବେ ନାହିଁ, ଯେଉଁ ଅନୁଷ୍ଠାନମାନେ ଆମର ଅପୂର୍ଣ୍ଣ ପ୍ରାପ୍ତିର ସାଧନା ନିମିତ୍ତ ସଦ୍ୟ ଚିଆଁଇ ଦେଉଥିବେ ।

 

ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଯେ, ଅନୁଷ୍ଠାନ ଓ ସତ୍ୟାତ୍ମା ଆବିଷ୍କାରର ଏହିସବୁ କଥା ଏବେ ସମାଜଶାସ୍ତ୍ର ଓ ରାଜନୀତି ବିଦ୍ୟାରେ ପଡ଼ିଲାଣି । ଉଦାହରଣ ସ୍ଵରୂପ ଆମେ ଏଠାରେ ପ୍ରଖ୍ୟାତ ଜର୍ମାନ ରାଜନୀତିବିଦ୍ “Claus Offeଙ୍କର ବିଚାରକୁ ନେଇପାରିବା । ଆପଣାର ସହଯୋଗୀ ଅଧ୍ୟାପକ Preussଙ୍କ ସହିତ ଲିଖିତ “Democratic” Instiutions and Moral Resources” ପ୍ରବନ୍ଧରେ ଅଧ୍ୟାପକ Offe ଆମକୁ କହିଛନ୍ତି ଯେ, ଆମର ଗଣତାନ୍ତ୍ରିକ ଅନୁଷ୍ଠାନମାନେ କେବଳ ସ୍ଥିତାବସ୍ଥାକୁ ବଜାୟ ରଖିବା ନିମିତ୍ତ ଉଦ୍ଦିଷ୍ଟ ନୁହେଁ ବା ଆମର କାମନା ଓ ବାସନକୁ ପୂରଣ କରିବାକୁ ଉଦ୍ଦିଷ୍ଟ ନୁହେଁ । ଆମର ଅନୁଷ୍ଠାନମାନେ ଆମର କାମନା ବା Desire ମାନକୁ ଜୟ କରିବାରେ ସହାୟକ ହେବା ଉଚିତ । ଏହା ସର୍ବପ୍ରଥମେ ଆମ ଭିତରେ ଥିବା ନିତ୍ୟନିୟତ ସୃଷ୍ଟି ହେଉଥିବା କାମନା ଭିତରେ ଏକ ଶ୍ରେଣୀକରଣ କରିବାରେ ସହାୟକ ହେବା ଉଚିତ, ଯେଉଁ ଶ୍ରେଣୀକରଣରେ ମହତ୍ତର କାମନାମାନେ ପ୍ରାଧାନ୍ୟ ହାସଲ କରିବେ ଓ ନିମ୍ନତ୍ତର କାମନାମାନଙ୍କ ଉପରେ ଆମେ ନିୟନ୍ତ୍ରଣ ହାସଲ କରିବୁ । ମହତ୍ତର କାମନା ହେଉଛି ତାହା; ଯାହା ଆମକୁ ବିକଶିତ କରିବାରେ ସାହାଯ୍ୟ କରେ, ସମାଜକୁ ବିକଶିତ କରିବାରେ ସାହାଯ୍ୟ କରେ; ମାତ୍ର ନିମ୍ନତ୍ତର କାମନା ହେଉଛି ତାହା, ଯାହା ଆମକୁ ନିଜ ଭିତରେ ବାନ୍ଧି ରଖେ, ନିଜର ଟେରିଲିନ୍ ଓ ସୋଫାସେଟ୍ ଭିତରେ ବାନ୍ଧିରଖେ ନିଜକୁ ମାର୍କେଟ୍‍ରେ ବିକ୍ରି ହେଉଥିବା ଚିଜମାନଙ୍କ ଭୁତ୍ୟ କରାଏ, କ୍ଷମତା ଓ ଅର୍ଥର ଭୃତ୍ୟ କରାଏ । ଅଧ୍ୟାପକ Offe ଏହି ପରିପ୍ରେକ୍ଷୀରେ ଏକ ନୂତନ ଦ୍ଵନ୍ଦ୍ୱ ଓ ବିବାଦ କଥା କହିଛନ୍ତି, ଯେଉଁ ବିବାଦ ଶ୍ରେଣୀ, ଶ୍ରେଣୀ ଭିତରେ ବା ବ୍ୟକ୍ତି-ବ୍ୟକ୍ତି ଭିତରେ ହେବନାହିଁ; ମାତ୍ର ପ୍ରତ୍ୟେକ ବ୍ୟକ୍ତି ଭିତରେ ଥିବା ଉଚ୍ଚତର ବାସନା ଓ ନିମ୍ନତ୍ତର ବାସନା–Higher desire ଓ Lower desire ମଧ୍ୟରେ ହେବ । ସତ୍ୟାଗ୍ରହର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରୁଥିବା ଆମ ସମସ୍ତଙ୍କ ପାଇଁ ପ୍ରଶ୍ନ ହେଉଛି ଅନୁଷ୍ଠାନର ଏହି ନୂତନ ଅଭିଧାନ ପାଇଁ ଆମେ ପ୍ରସ୍ତୁତ କି ଓ ପ୍ରସ୍ତୁତ ହୋଇ ଏମିତି ଅନୁଷ୍ଠାନ ସୃଷ୍ଟି କରିବାକୁ ବ୍ୟଗ୍ର କି ?

 

ସତ୍ୟାଗ୍ରହର ମୂଳ ଏକକ ବ୍ୟକ୍ତି ଅଟେ, ବ୍ୟକ୍ତିର ସତ୍ୟକାମୀ ଓ ସତ୍ୟପ୍ରେରିତ ଆତ୍ମା ଅଟେ । ମାତ୍ର ବ୍ୟକ୍ତି ଏକଲା ସମାଜକୁ ଗଢ଼େନାହିଁ । ବ୍ୟକ୍ତି–ବ୍ୟକ୍ତି ଭିତରେ ଏକ ସ୍ଵଜନଶୀଳ ସମ୍ପର୍କ ବିନା ଏମିତିକି ସତ୍ୟାଗ୍ରହୀ ଜଣକ ମଧ୍ୟ ଏକ ଆତ୍ମକେନ୍ଦ୍ରିକ ଓ ଆତ୍ମ-ନିବନ୍ଧ ଦୁରାଚାରୀରେ ପରିଣତ ହୋଇଯାଏ । ଭାରତବର୍ଷର ଇତିହାସ ଓ ପରମ୍ପରାରେ ଏହାର ଭୁରି ଭୁରି ପ୍ରମାଣ ରହିଚି, ଯେଉଁଠି ମଣିଷ ନିଜର ଆତ୍ମାକୁ ଖୋଜିବାକୁ ଯାଇ ଅନ୍ୟଠାରୁ ଦୂରେଇ ଯାଉଛି ଓ ଯିଏ ନିଜର ଆତ୍ମାର ସନ୍ଧାନ ପାଇଛି, ସିଏ ସମାଜଠାରୁ ଦୂରେଇ ଯାଇ କୌପିନ ପିନ୍ଧି ବାବା ହୋଇ ବସିଛି । ଏହି ବାବାର ଶୁଖାଇଥିବା କୌପିନକୁ ଯଦି ଆଉଜଣେ ବାବା ଟିକେଇ ଆଡ଼େଇଦେଲା, ତେବେ ସିଏ କଳି କରୁଛି । ମାତ୍ର ସତ୍ୟାଗ୍ରହର ପ୍ରକ୍ରିୟା ନିଜର ଆବିଷ୍କୃତ ସତ୍ୟାତ୍ମା ଓ ଅନ୍ୟମାନଙ୍କ ସହ କାମ୍ୟ ସମ୍ପର୍କକୁ ଏଡ଼ାଇଦେଇ ପାରିବ ନାହିଁ । ଅପରପକ୍ଷରେ ସତ୍ୟାଗ୍ରହ ଆତ୍ମା ଓ ପରାତ୍ମା Self ଓ Other ମଧ୍ୟରେ ଏକ ସତ୍ୟପ୍ରେରିତ ସମ୍ପର୍କ ସ୍ଥାପନ କରିବା ଉପରେ ଗୁରୁତ୍ଵ ଦେଇଥାଏ । ସତ୍ୟାଗ୍ରହୀ ବ୍ୟକ୍ତି ଜଣକ ଆପଣାକୁ ଅହଙ୍କାରୀ କରେନାହିଁ; ମାତ୍ର ସିଏ ଶାନ୍ତି ନାଆଁରେ ଅନ୍ୟର ଅହଙ୍କାର ନିକଟରେ ମୁଣ୍ଡ ନୁଆଁଇ ଦିଏ ନାହିଁ । ସିଏ ସତ୍ୟଦ୍ଵାରା ପ୍ରେରିତ ହୋଇ ନିଜ ଓ ଅନ୍ୟ ମଧ୍ୟରେ ସଂଳାପ କରୁଥାଏ । ଏହି ସଂଳାପରେ ଅନ୍ୟର ଧର୍ମ ପ୍ରତି ସମ୍ମାନ ଥାଏ; ମାତ୍ର ଅନ୍ୟର କାମନା-ପ୍ରଣୋବିତ ଜୀବନକୁ ସତ୍ୟର ସ୍ପର୍ଶ ପ୍ରଦାନ କରିବାକୁ ଆଗ୍ରହ ମଧ୍ୟ ଥାଏ । ଏହି ଆଗ୍ରହ, ଅର୍ଥାତ୍ ନିଜକୁ ଓ ଅପରକୁ ସତ୍ୟର ସାଧକ ଓ ସେବକ ରୂପେ ରୂପାନ୍ତରିତ କରିବାର ଆଗ୍ରହ, ସତ୍ୟାଗ୍ରହୀ ଜଣକୁ ଆପେକ୍ଷିକ କରେନାହିଁ, ଅର୍ଥାତ୍ ସବୁକୁ ସମାନ ଗୁରୁତ୍ଵ ଦେବା ପ୍ରଲୋଭନକୁ ମୁକ୍ତ କରେ । ଏହା ସତ୍ୟାଗ୍ରହୀ ଜଣକୁ ସତ୍ୟ ଓ ଅସତ୍ୟ ଭିତରେ ଥିବା ଗୁଣାତ୍ମକ ପ୍ରଭେଦ ବା “Qualitative distinction” କୁ ହୃଦୟଙ୍ଗମ କରିବାକୁ ସଦା ପ୍ରେରିତ କରିଥାଏ । ସତ୍ୟାଗ୍ରହୀ ଜଣକ ଅପରର ସତ୍ୟଠାରୁ ଶିଖି ନିଜର ଅନେକ ଅପୂର୍ଣ୍ଣତାକୁ ପୂର୍ଣ୍ଣ କରିବାକୁ ପ୍ରେରଣା ପାଏ ଏବଂ ଅପରକୁ ମଧ୍ୟ ସତ୍ୟର ସାଧକ ହେବାକୁ ପ୍ରବର୍ତ୍ତାଇଥାଏ । ବ୍ୟକ୍ତି ଓ ଅପର ମଧ୍ୟରେ ଏମିତି ଏକ ନିତ୍ୟନିୟତ ସଂଳାପ ଚାଲିଥାଏ, ଯେଉଁ ସଂଳାପରେ ସବୁ ବାସନାକୁ ଓ ସବୁ ମୁନିମାନଙ୍କୁ ସତ୍ୟ ରୂପେ ମାନିନେବାର କୌଣସି ଭ୍ରମ ନଥାଏ ।

 

ସତ୍ୟାଗ୍ରହ ମଣିଷ ମୁକ୍ତି ପାଇଁ ଏକ ଅଭିନବ ଉପାୟ ଓ ଆଭିମୁଖ୍ୟ ପ୍ରଦାନ କରିଥାଏ । ସାଧାରଣତଃ ଆମେ ଭାବୁ ଯେ, ମଣିଷର ମୁକ୍ତି ପାଇଁ ଆମକୁ ଶୋଷଣକାରୀ ଅନ୍ୟ ଜଣେ ରାଜା, ପୋଲିସ ବା ପିରିଙ୍ଗି ସାହେବ ସହିତ ଯୁଦ୍ଧ କରିବାକୁ ହେବ । ମାତ୍ର ସିଏ ଆମକୁ ଦମନ କରି ରଖିଛନ୍ତି, ସେମାନଙ୍କ ସଙ୍ଗେ ଯୁଦ୍ଧ କରି ଜିତିଗଲେ ବି ଆମ୍ଭର ମୁକ୍ତି ସମ୍ଭବ କି ? ଉଦାହରଣ ସ୍ଵରୂପ ଆମର ସ୍ଵାଧୀନତା ସଂଗ୍ରାମର ଅନୁଭୂତିକୁ ବିଶ୍ଳେଷଣ କରାଯାଉ । ଆମେ ବ୍ରିଟିଶ୍‍ମାନଙ୍କ ସହ ଯୁଦ୍ଧ କରି ଜିତିଲୁ ମାତ୍ର ଆମର ମୁକ୍ତି ସମ୍ଭବ ହେଲା କି ? କେବଳ ଭାରତବର୍ଷ କାହିଁକି ସାମ୍ରାଜ୍ୟବାଦକୁ ତଡ଼ିଥିବା ସବୁ ପୁରାତନ ଉପନିବେଶମାନଙ୍କରୁ ଧଳା ସାହେବମାନେ ଯାଇଛନ୍ତି, ମାତ୍ର ସେଠାରେ ସାହେବବାଦର ପତନ ଘଟିଛି କି ? ଏହିସବୁ ଠାରେ ଧଳା ସାହେବଙ୍କ ଜାଗାରେ କଳା ସାହେବମାନେ ସେମାନଙ୍କର ବିବି ଓ ଗୋଲାମ ସହ ମିଶି ଆମ ସମସ୍ତଙ୍କୁ ଗୋଲାମ କରି ରଖି ନାହାନ୍ତି କି ? ଏହି ପରିପ୍ରେକ୍ଷୀରେ ସତ୍ୟାଗ୍ରହର ମୁକ୍ତି ମାର୍ଗ ଆମକୁ ସ୍ପଷ୍ଟ କରି ଆହ୍ଵାନ ଦେଇଥାଏ ଯେ, କେବଳ ଅପର ବିରୋଧରେ ଖଣ୍ଡା ଧରିଲେ ମଣିଷର ମୁକ୍ତି ସମ୍ଭବ ନୁହେଁ । ନିଜର ସତ୍ୟ ପ୍ରତି ଆଗ୍ରହକୁ ଜାଗ୍ରତ ନକଲେ, ନିଜକୁ ସତ୍ୟାଗ୍ରହୀ ନ କରାଇଲେ, ନିଜକୁ ନ ବଦଳାଇଲେ ମଣିଷର ଏକ ସାମଗ୍ରିକ ମୁକ୍ତି ସମ୍ଭବ ନୁହେଁ । ଏବର ପରିଚିତ ଦାର୍ଶନିକ ଭାଷାରେ କହିଲେ ସତ୍ୟାଗ୍ରହର ମୁକ୍ତି ମାର୍ଗ କେବଳ ଅନ୍ୟ ବିରୋଧରେ ଖଣ୍ଡା ନ ଉଠାଇ ନିଜକୁ ନିରୀକ୍ଷଣ କରିବା ଉପରେ ଗୁରୁତ୍ଵ ଦେଇଥାଏ । ନିଜକୁ ସତ୍ୟାଗ୍ରହୀ “ବିଶ୍ଵଦ୍ଧାତ୍ମା, ବିଜିତାତ୍ମା ଓ ଜିତେନ୍ଦ୍ରିୟ” କରିବା ଉପରେ ଗୁରୁତ୍ଵ ଆରୋପ କରିଥାଏ । ଏମିତି ଏକ ମୁକ୍ତି ପ୍ରୟାସରେ କେବଳ କର୍ତ୍ତା ଓ କର୍ମର, ଆତ୍ମା ଓ ପରାମାତ୍ମାର ଆପେକ୍ଷିକତା ନଥାଏ, ସତ୍ୟ ପ୍ରତି ଏକ ଅନୁରକ୍ତି ଉଭୟଙ୍କୁ ନିଜ ନିଜର ଅହଙ୍କାରରୁ ଆପେକ୍ଷିକତାର ଅହଙ୍କାରରୁ (ଯଥା ଏହା ମୋତେ ଭଲ ଲାଗେ, ତେଣୁ ତୁମେ ମୋ କଥାରେ କହିବାକୁ କିଏ) ଯୁକ୍ତି କରି ମାନବ ମୁକ୍ତିର ନିତ୍ୟନିୟତ କର୍ମସାଧନ କରିଥାଏ ।

 

ଖାସ୍ ସେଇଥିପାଇଁ ହୁଏତ ଅଧ୍ୟାପକ ଥମାସ ପାନୁଥମ୍ ସତ୍ୟାଗ୍ରହକୁ “Post relativism in emancipatory thought” ବୋଲି କହିଛନ୍ତି । ମଣିଷର ମୁକ୍ତି ସମ୍ପର୍କରେ ଆଲୋଚନା କରୁଥିବା ପାଶ୍ଚାତ୍ୟ ରାଜନୀତି ଶାସ୍ତ୍ରୀମାନେ ମଧ୍ୟ ଗାନ୍ଧୀ କିମ୍ବା ସତ୍ୟାଗ୍ରହର ଭାଷା ବ୍ୟବହାର ନ କରି ପ୍ରାୟ ଏଇକଥା ହିଁ ଅନେକ ସ୍ପଷ୍ଟ ଭାବରେ କହୁଛନ୍ତି ଯେ, ଏବେ ମଣିଷର ମୁକ୍ତି ବିଷୟରେ ଆମକୁ ନୂଆକରି ଭାବିବାର ବେଳ ଆସି ପହଞ୍ଚିଛି । ଆମେ ଏଠାରେ ଆମେରିକୀୟ ରାଜନୀତିବିତ୍ ଡାଭିଡ୍‍ ଆପ୍‍ଟର (David Apter) ଓ ବ୍ରିଟେନରେ ଅଧ୍ୟାପନା କରୁଥିବା ରାଜନୀତିଶାସ୍ତ୍ରୀ ଶ୍ରୀ ଏର୍ଣ୍ଣେଷ୍ଟା ଲାକ୍‍ଲାର (Ernesto Laclau)ଙ୍କ ବିଚାରକୁ ସର୍ବାଙ୍ଗେ ସ୍ମରଣ କରିପାରିବା । ଅଧ୍ୟାପକ ଆପ୍‍ଟର କହୁଛନ୍ତି ଯେ, ମୁକ୍ତି ସମ୍ପର୍କରେ ପ୍ରଚଳିତ ପରିଚିତ ପ୍ରୟାସ ଅନ୍ୟର (Other)ର ନକାରାତ୍ମକତା ବା negativityକୁ ନେଇ ବ୍ୟସ୍ତ ଥିବା ବେଳେ ଏବେ ଆମ ନିକଟରେ ଆହ୍ଵାନ ହେଉଛି ଆମେ କିପରି ନିଜକୁ ବଦଳାଇବା ଯାହାକୁ ଶ୍ରୀଯୁକ୍ତ ଆପ୍‍ତାର “Liberating the mainstream” ବୋଲି କହିଛନ୍ତି । ଅଧ୍ୟାପକ Laclau ଖାସ୍ ସେଇଥିପାଇଁ ହୁଏତ ଅନ୍ୟର ନକାରାତ୍ମକତା ପିଛା ଧରିଥିବା ମୁକ୍ତି ପ୍ରୟାସର ଉର୍ଦ୍ଧ୍ଵକୁ ଯାଇ ଆମକୁ Freedomର ସାଧକ ହେବାକୁ ଆପଣାର “Beyond Emancipation” ପ୍ରବନ୍ଧରେ ଆହ୍ଵାନ ଜଣାଇଛନ୍ତି । ଅଧ୍ୟାପକ Laclau ଯୁକ୍ତି କରୁଛନ୍ତି ଯେ, ମାନବୀୟ ମୁକ୍ତିର ଯେ କୌଣସି ପ୍ରୟାସର ଦୁଇଟି ଦିଗ ରହିଛି । ଦୁଇଟି ପରିସର ରହିଛି । ଗୋଟିଏ ହେଉଛି ଦ୍ଵନ୍ଦ୍ୱ ଓ ବିରୋଧର ପରିସର (Dimension of dichtomy) ଓ ଅନ୍ୟଟି ହଉଛି ଧାରଣକାରୀ ଭୂମିର ପରିସର (Dimension of ground) । ଆମେ ମୁକ୍ତି କଥା ପକାଇଲେ ଖାଲି ବିରୋଧ କଥା ପକାଉଁ–ଶୋଷଣକାରୀ ଓ ଶୋଷିତ ଭିତରେ, ସ୍ଵାମୀ ସ୍ତ୍ରୀ ଭିତରେ, ରାଜା ପ୍ରଜା ଭିତରେ ଥିବା ବିରୋଧ କଥା ପକାଉ । ମାତ୍ର ଉଭୟ ଶୋଷଣକାରୀ ଓ ଶୋଷିତକୁ ଧାରଣ କରିଥିବା ଭୂମିକୁ ଭୁଲିଯାଉ । ଗାନ୍ଧୀ ସବୁବେଳେ ଏହି ଭୂମିଟିକୁ ଭୁଲି ନଯିବାକୁ ଆମକୁ ଚେତାଇ ଦେଉଥିଲେ । ଗାନ୍ଧୀଙ୍କର ସକଳ ପ୍ରୟାସ ଉଭୟ ଶୋଷିତ ଓ ଶୋଷକ ମଧ୍ୟରେ ଥିବା ସତ୍ୟାତ୍ମାକୁ ଉଦ୍‍ବୋଧନ କରି ଏକ ମୁକ୍ତ ସମ୍ପର୍କ ପ୍ରତିଷ୍ଠା କରିବାକୁ ଉଦ୍ଦିଷ୍ଟ ଥିଲା । ନିଜେ ଶ୍ରୀଯୁକ୍ତ Laclau କହିଛନ୍ତି ଯେ, ଈଶ୍ଵରଙ୍କ ବିନା ଭୂମିର ପରିସରକୁ ସ୍ଵୀକାର କରିବା ସମ୍ଭବ ନୁହେଁ-। ଉଭୟ ଶୋଷକ ଓ ଶୋଷିତ ଭିତରେ ଈଶ୍ଵର ଅଛନ୍ତି ଏମିତି ଏକ ଆଧ୍ୟାତ୍ମିକ ଚେତନା ବିନା ଆମେ ମୁକ୍ତି ନାଆଁରେ ଖାଲି ଅନ୍ୟର ଗୋହିରି ତାଡ଼ିବୁ ଓ ମୁଣ୍ଡ କାଟିବୁ, ଏକଥାର ଆଧୁନିକ ପର୍ବରେ ହୋଇଥିବା ସବୁ ମୁକ୍ତି ଆନ୍ଦୋଳନରେ ସିଏ ଔପନିବେଶବାଦ ବିରୋଧୀ ଆନ୍ଦୋଳନ ହେଉ ବା ସାମ୍ରାଜ୍ୟବାଦୀ ବିରୋଧୀ ଆନ୍ଦୋଳନ ହେଉ ବା କମ୍ୟୁନିଷ୍ଟ ଆନ୍ଦୋଳନ ହେଉ ବା ନାରୀମୁକ୍ତିର ଆନ୍ଦୋଳନ ହେଉ ଭୂରି ଭୂରି ପ୍ରମାଣ ରହିଛି ।

 

ସତ୍ୟାଗ୍ରହ ଏକ ସଂଳାପର ପ୍ରକ୍ରିୟା । ସତ୍ୟାଗ୍ରହର ସାଂପ୍ରତିକ ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନାରତ ଆମ ସଭିଙ୍କୁ ଏବେ ଭାବିବାକୁ ହେବ ସଂଳାପର ଏହି ସତ୍ୟାଗ୍ରହୀ ପ୍ରକ୍ରିୟାର ଓ ସତ୍ୟାଗ୍ରହର ଏହି ସଂଳାପାତ୍ମକ ପ୍ରକ୍ରିୟାର ଗଣତନ୍ତ୍ର ପ୍ରତି କ’ଣ ଉପାଦେୟତା ରହିଛି ? ଗଣତନ୍ତ୍ର ଏବେ ସାରା ପୃଥିବୀରେ ବିଭିନ୍ନ ସମାଜରେ ବ୍ୟାପୁଛି । ପୁରାତନ, ସୋଭିଏତ ସଂଘର, ପ୍ରାଚ୍ୟ ୟୁରୋପରେ, ପୂର୍ବତନ କମ୍ୟୁନିଷ୍ଟ ଦେଶମାନଙ୍କରେ, ଲାଟିନ୍ ଦ୍ଵୀପପୁଞ୍ଜରେ ଗଣତାନ୍ତ୍ରିକ ରାଜନୈତିକ ବ୍ୟବସ୍ଥାକ୍ରମେ ପ୍ରସାରଲାଭ କରୁଛି । ମାତ୍ର ଗଣତନ୍ତ୍ରରେ ସାଂପ୍ରତିକ ବିସ୍ତାର କେବଳ ଏଇଥିପାଇଁ ନୁହେଁ ଯେ, ଗଣତନ୍ତ୍ର କ୍ଷମତା ହାସଲ ପାଇଁ ନେତାମାନଙ୍କୁ ଏକ ବୈଧ ଉପାୟ ପ୍ରଦାନ କରିଥାଏ–ପ୍ରତି ତିନି ବର୍ଷରେ ବା ପାଞ୍ଚ ବର୍ଷରେ ନିର୍ବାଚନ କରାଇ । ଗଣତନ୍ତ୍ର ମୂଳତଃ ଏକ ସଂଳାପାତ୍ମକ ଓ ଅହିଂସାତ୍ମକ ଜୀବନ ଦୃଷ୍ଟି, ପାରମ୍ପରିକ ସମ୍ପର୍କର ସୂତ୍ର ଓ ରାଜନୈତିକ କ୍ରିୟାଶୈଳୀ ଅଟେ । ଆଧୁନିକ ଇତିହାସରେ ଆମେ ଯେତେ ପ୍ରକାର ରାଜନୈତିକ ଶୈଳୀ ଓ ବ୍ୟବସ୍ଥା ଦେଖୁଛୁ, ଏହି ସବୁ ଭିତରେ ଗଣତନ୍ତ୍ର ହେଉଛି ଏପରି ଏକ ପ୍ରକ୍ରିୟା, ଯାହା ବ୍ୟକ୍ତିର ସଂଳାପ, ଅଂଶ ଗ୍ରହଣ ଓ ପାରମ୍ପରିକ ପ୍ରୀତି ଉପରେ ଅଧିକ ଗୁରୁତ୍ଵ ଆରୋପ କରିଥାଏ । ବ୍ୟକ୍ତି ଓ ସମାଜ ଭିତରେ ଏକ ସଂହତି ସମ୍ପର୍କ ସୃଷ୍ଟି କରିବାରେ ଗଣତନ୍ତ୍ର ଆମ୍ଭ ସଭିଙ୍କୁ ଅନେକ ସମ୍ଭାବନାର ପ୍ରତିଶ୍ରୁତି ଦେଇଥାଏ-। ବ୍ୟକ୍ତି ଯେ, ବ୍ୟବସ୍ଥାର ଏକ କାଷ୍ଠ ପୁତ୍ତଳିକା ନୁହେଁ, ବ୍ୟକ୍ତି ସ୍ଵାଧୀନ ଓ ତା’ର ସ୍ଵାଧୀନ ନିର୍ବାଚନ ସମାଜର ସଂଯୋଜନାର ପ୍ରଧାନ ନିର୍ଣ୍ଣାୟକ ଗଣତନ୍ତ୍ର ଏହାର ଉପରେ ଗୁରୁତ୍ଵ ଦେଇଥାଏ-

 

ଗଣତନ୍ତ୍ର ମଧ୍ୟ ଆତ୍ମ-ଶାସନ ଓ ଆତ୍ମ-ଅନୁଶାସନ ଉପରେ ଗୁରୁତ୍ଵ ଦେଇଥାଏ । ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ହିଁ ହେଉଛି ଆଦର୍ଶ ଯେ, ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଶାସନ ପାଇଁ କର୍ମ କରନ୍ତୁ ଓ ନିଜର କର୍ମ ପାଇଁ ଦାୟୀ ରହନ୍ତୁ । ଖାସ୍ ସେଥିପାଇଁ ହୁଏତ ରାଜନୀତିବିତ୍ Mark Warren ଗଣତନ୍ତ୍ରକୁ ମୂଳତଃ ଆତ୍ମଶାସନ ବା Self-governanceର ଏକ ରାଜନୈତିକ ଶୈଳୀ ରୂପେ ବ୍ୟାଖ୍ୟା କରିଛନ୍ତି । ଶ୍ରୀଯୁକ୍ତ Warrenଙ୍କ ବିଚାରରେ ଏପରିକି ନିଜର ଆବଶ୍ୟକତା ହେଉ ଅଥବା କ୍ଷମତାର ଆବଶ୍ୟକତା ହେଉ-ପୂରଣ କରିବା ଗଣତନ୍ତ୍ରର ମୂଳକଥା ନୁହେଁ । ଗଣତନ୍ତ୍ରର ମୂଳକଥା ହେଉଛି ଆତ୍ମ-ଶାସନ ବା Self-governance ଅଟେ । ମାତ୍ର ଏହି କଥା କହିବା ବେଳେ ସ୍ଵୟଂ ଅଧ୍ୟାପକ Warren ଅନେକ ସ୍ପଷ୍ଟ ଭାବରେ ଆମକୁ କହୁଛନ୍ତି ଯେ, ଆତ୍ମ-ଅନୁଶୀଳନ Self-restraint ଓ ଆତ୍ମକ-ରୂପାନ୍ତରୀକରଣ ବିନା ଆତ୍ମ-ଶାସନ ସମ୍ଭବ ନୁହେଁ ।

 

ଏଠାରେ ହିଁ ସ୍ଵରାଜ ଓ ସତ୍ୟାଗ୍ରହର ସମନ୍ଵିତ କରିବାର ଆହ୍ଵାନ ଆମ ସମ୍ମୁଖରେ । ଗାନ୍ଧୀଙ୍କ ବିଚାରକୁ ନେଇ ଅନେକ କୋଳାହଳ କରୁଥିବା ଆମେ ସମସ୍ତେ ସ୍ଵରାଜ ଓ ସତ୍ୟାଗ୍ରହକୁ ଏକ ସୂତ୍ରରେ ଗ୍ରଥିତ କରି ପାରିନାହୁଁ । ସେଥିପାଇଁ ଆମ ଦେଶରେ ସ୍ଵାଧୀନତା ମିଳିଲା । ମାତ୍ର ସତ୍ୟାଗ୍ରହରେ ଡୋରି ବନ୍ଧା ହେଲା । ଯେଉଁମାନେ ସତ୍ୟାଗ୍ରହ କଥା କହୁଛନ୍ତି ଯେ, ସେମାନେ ଏତେ କୋମଳ ଓ ନିରାମିଶାଷୀ ହୋଇ ପାରିଛନ୍ତି ଯେ, ସେମାନେ ନିଜ ନିଜର ସ୍ଥାନରେ ବସି ସତ୍ୟାଗ୍ରହ କରୁଛନ୍ତି । ମାତ୍ର ସମାଜର ବିଭିନ୍ନ ଏକକମାନଙ୍କର ସ୍ଵରାଜ ନିମିତ୍ତ ଆବଶ୍ୟକ ବହୁ ପରିସରୀୟ ସଂଗ୍ରାମରେ ଭାଗ ନେବାକୁ ତୁଳା ମାୟାବାଦ ବୋଲି କହି ଉଡ଼ାଇ ଦେଇଛନ୍ତି । ମାତ୍ର ଏବେ ତଥାକଥିତ ସ୍ଵାଧୀନ ଭାରତବର୍ଷରେ ସ୍ଵରାଜ କଥା ପକାଇବାର ଅନେକ ଆବଶ୍ୟକତା ରହିଛି । ସ୍ଵାଧୀନ ଭାରତବର୍ଷର ସକଳ କ୍ଷମତା ରାଷ୍ଟ୍ର ରୂପୀ ଏକ ଯନ୍ତ୍ରରେ ସୀମାବଦ୍ଧ । ଆମ ଭାରତର ଏକକମାନଙ୍କର ସ୍ଵରାଜ ନାହିଁ । ଖାସ୍ ସେଥିପାଇଁ ଆମ ଦେଶରେ ଆଜି ସକଳ ଏକକମାନଙ୍କ ମଧ୍ୟରେ ଏକ ଅପୂର୍ବ ବ୍ୟାକୁଳତା, ଝାଡ଼ଖଣ୍ଡ ଆନ୍ଦୋଳନ, ଏହିସବୁ ସ୍ଵରାଜ ପାଇଁ ଏକ ବ୍ୟାକୁଳ ପ୍ରୟାସ । ରାଷ୍ଟ୍ରବାଦୀ ଓ ଆମକୁ ଭଲ ନ ଲାଗିଲେ ମଧ୍ୟ ଆମକୁ ଏହା ସ୍ଵୀକାର କରିବାକୁ ହେବ । ବାସ୍ତବରେ ଏମିତି ସ୍ଵୀକାରରେ ଭାରତବର୍ଷର ଯଥାର୍ଥ ମଙ୍ଗଳ ନିହିତ । କାରଣ ଭାରତବର୍ଷ ବୋଇଲେ ଏହାର ଦାନବୀୟ ରାଷ୍ଟ୍ର ବ୍ୟବସ୍ଥାକୁ ବୁଝାଏ ନାହିଁ ଅଥବା ଦିଲ୍ଲୀକୁ ବୁଝାଏ ନାହିଁ । ଭାରତବର୍ଷରେ ହେଉଥିବା ଅଧିକ ସ୍ଵାୟତ୍ତତା ପାଇଁ ଆନ୍ଦୋଳନକୁ ଆମେ ହୁଏତ ସ୍ଵରାଜର ଚକ୍ଷୁରେ ଦେଖିପାରିବା । ମାତ୍ର ଏ ପର୍ଯ୍ୟନ୍ତ ଗାନ୍ଧୀ ବିଚାରଧାରା ସହ ସଂଶ୍ଳିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନମାନେ ପ୍ରାୟ ଏହି ଆନ୍ଦୋଳନମାନଙ୍କ ସମ୍ପର୍କରେ ନୀରବ ରହିଛନ୍ତି । ସମ୍ଭବତଃ ସେଥିପାଇଁ ହିଁ ହୁଏତ ଏହି ସ୍ୱାୟତ୍ତକାମୀ ଆନ୍ଦୋଳନ ବା Autonomy movements ମାନ ଏତେ ଧ୍ଵଂସାତ୍ମକ ଓ ହିଂସାତ୍ମକ ହୋଇଛନ୍ତି । ଏହି ଆନ୍ଦୋଳନକାରୀ ନେତାମାନେ ମଧ୍ୟ ଲୋକମାନଙ୍କର ଯଥାର୍ଥ ଦାବିକୁ ଆପଣାର ରାଜନୈତିକ ସ୍ଵାର୍ଥ ସାଧନ ନିମିତ୍ତ ବ୍ୟବହାର କରୁଛନ୍ତି । ମାତ୍ର ଗାନ୍ଧୀଙ୍କର ଅନୁଗାମୀମାନେ ଯଦି ଏହି ସମସ୍ୟାକୁ ସ୍ଵରାଜ ନିମିତ୍ତ ଏକ ପ୍ରୟାସ ରୂପେ ସ୍ଵୀକାର କରିଥାନ୍ତେ, ତେବେ ସେମାନେ ହୁଏତ ଏହି ଆନ୍ଦୋଳନକାରୀମାନଙ୍କୁ ପ୍ରବର୍ତ୍ତାଇ ପାରିଥାନ୍ତେ ଯେ, ସତ୍ୟାଗ୍ରହ ମଧ୍ୟ ଏକ ପନ୍ଥା ରୂପେ ବ୍ୟବହାର କରାଯାଇପାରିବ-ଝାଡ଼ଖଣ୍ଡ ଭଳି ଆନ୍ଦୋଳନରେ । ଏକ ଗାନ୍ଧୀୟ ବିଚାର ଓ ହସ୍ତକ୍ଷେପ ମଧ୍ୟ ସାମ୍ପ୍ରତିକ ସ୍ୱାୟତ୍ତକାମୀ ଆନ୍ଦୋଳନକୁ ସମାଲୋଚନା କରିବାକୁ ସମର୍ଥ ହୋଇଥାନ୍ତା ଯେ, ଏହି ସ୍ଵାୟତ୍ତକାମୀ ଆନ୍ଦୋଳନମାନ ସ୍ଵରାଜର ସୂଚକ ହୋଇଥିଲେ ମଧ୍ୟ ଏମାନଙ୍କ ଭିତରେ ପ୍ରକୃତରେ ସ୍ଵରାଜର କୌଣସି ମାନଚିତ୍ର ନାହିଁ । ଏହାର କାରଣ ସ୍ଵରାଜ୍ୟ ବା ଆତ୍ମ-ଶାସନ ବା Self-governanceର ମୂଳ ଭେକ ହେଉଛି ବ୍ୟକ୍ତି ଓ ମାନବ ମର୍ଯ୍ୟାଦା ପ୍ରତି ଏକ ଶ୍ରଦ୍ଧା । ଯେଉଁମାନେ ଅଲଗା ଝାଡ଼ଖଣ୍ଡ କଥା କହୁଛନ୍ତି, ବା ଉତ୍ତରଖଣ୍ଡ କଥା କହୁଛନ୍ତି, ବା ଆମ ସ୍ଵରାଜ ହେଉଛି ଏକ ସୁରାଜ, ଏକ ମଙ୍ଗଳମୟ ସମାନ–ଯାହାକୁ ଆଧୁନିକ ସମାଜ ବିଜ୍ଞାନୀ the good society ବୋଲି କହୁଛନ୍ତି । ଗାନ୍ଧୀ ଏକ ମଙ୍ଗଳମୟ ସମାଜ କଥା କହୁଥିଲେ ଯାହାର ନାମ ସିଏ ରାମରାଜ୍ୟ ଦେଇଥିଲେ । ଏହି ରାଜ୍ୟ ପ୍ରତିଷ୍ଠା ପାଇଁ ସେ କେତେ ସରାଗ ଓ ଭରସାରେ ପ୍ରତିଦିନ ପ୍ରାର୍ଥନା କରୁଥିଲେ; “ରଘୁପତି ରାଘବ ରାଜାରାମ, ପତିତପାବନ ସୀତାରାମ । ମଙ୍ଗଳ ପରସନ ରାଜାରାମ, ପତିତପାବନ ସୀତାରାମ ।” ଗାନ୍ଧୀଙ୍କର ପୂର୍ଣ୍ଣ ସ୍ଵରାଜର ମାନଚିତ୍ରରେ କେବଳ ସ୍ଵଦେଶୀ କଥା ନଥିଲା ମାତ୍ର ସ୍ଵରାଜ କଥା ଥିଲା । କାରଣ ଗାନ୍ଧୀ ଭଲଭାବରେ ଜାଣିଥିଲେ ଯେ’ ରଜା ସ୍ଵଦେଶୀ ହେଲେ ମଧ୍ୟ ସ୍ଵରାଜ ପାଇଁ ସାମାଜିକ ଆନ୍ଦୋଳନର ଆବଶ୍ୟକତା ରହିଛି । ସମାଜବିଜ୍ଞାନୀ ଅଧ୍ୟାପକ ଜେ. ପି. ଏସ ଉବେରୟ (J.P.S. Uberoi) ଯିଏ ଆପଣାର ପ୍ରବନ୍ଧ “Science and Swaraj” ପାଇଁ ଗାନ୍ଧୀ ବିଚାରରେ ଜଣେ ଅନେକ ମନନଶୀଳ ବ୍ୟାଖ୍ୟାକାର ରୂପେ ପରିଚିତ, ଗାନ୍ଧୀଙ୍କର ପୂର୍ଣ୍ଣ ସ୍ଵରାଜର କାର୍ଯ୍ୟକ୍ରମରେ ଏକ ସୁନ୍ଦର ସମାଜର ନିର୍ମାଣ ପାଇଁ କାର୍ଯ୍ୟକ୍ରମ ଥିଲା । ଅଧ୍ୟାପକ ଉବେରୟଙ୍କ ବିଚାରରେ ଏହି ପୂର୍ଣ୍ଣ ସ୍ୱରାଜର କାର୍ଯ୍ୟକ୍ରମ ସ୍ଵଦେଶୀ ସହିତ ଜାତିପ୍ରଥା ନିବାରଣ ଓ ହିନ୍ଦୁ ମୁସଲମାନ ଐକ୍ୟ ଉପରେ ଗୁରୁତ୍ଵ ଦିଆଯାଇଥିଲା । ଅଧ୍ୟାପକ ଉବେରୟ ଯୁକ୍ତି କରିଛନ୍ତି ଯେ’ ଗାନ୍ଧୀ ପ୍ରଥମେ ଆପଣାକୁ ଏକ ସନାତନ ହିନ୍ଦୁ ରୂପେ ଗ୍ରହଣ କରିଥିଲେ, କେବଳ ଏକ ରାଷ୍ଟ୍ରର ନାଗରିକ ରୂପେ ନୁହେଁ । ଏକ ସନାତନ ହିନ୍ଦୁ ରୂପେ ଗାନ୍ଧୀ ପ୍ରଥମେ ବିଶ୍ଳେଷଣ କରିଥିଲେ ହିନ୍ଦୁ ଧର୍ମକୁ । ଆତ୍ମ-ନିରୀକ୍ଷାର ସାଧନାରେ ଗାନ୍ଧୀ ଖୋଜିଥିଲେ ହିନ୍ଦୁ ଧର୍ମର ଏମିତି ଉପାଦାନକୁ ଯାହା ସ୍ଵରାଜର ବାଧକ ଅଟେ । ଗାନ୍ଧୀ ଅବିଳମ୍ବେ ବୁଝି ପାରିଥିଲେ ଯେ ହିନ୍ଦୁ ଧର୍ମର ଜାତିପ୍ରଥା ହିଁ ଭାରତବର୍ଷର କାମ୍ୟ ସ୍ଵରାଜର ଏକ ପ୍ରଧାନ ବାଧକ । ସେଥିପାଇଁ ଗାନ୍ଧୀ ଜୋରଦେଇ କହିଥିଲେ ଯେ ଜାତିପ୍ରଥାର ବିଲୋପ ବିନା ଭାରତବର୍ଷରେ ପୂର୍ଣ୍ଣ ସ୍ଵରାଜ ସମ୍ଭବ ନୁହେଁ । ମାତ୍ର ସନାତନ ହିନ୍ଦୁ ଧର୍ମରେ ଥିବା ସ୍ଵରାଜରେ ବାଧକକୁ ଆବିଷ୍କାର କରିବା ପରେ ଜଣେ ଭାରତୀୟ ରୂପେ ଗାନ୍ଧୀ ଭାରତୀୟ ସମାଜରେ ହିନ୍ଦୁ–ମୁସଲମାନ ବିଦ୍ଵେଷକୁ ସ୍ଵରାଜର ଅନ୍ୟ ଏକ ପ୍ରଧାନ ବାଧକ ରୂପେ ଚିହ୍ନଟ କରିଥିଲେ । ସେଥିପାଇଁ ଗାନ୍ଧୀଙ୍କର ପୂର୍ଣ୍ଣ ସ୍ଵରାଜ ଯୋଜନାରେ ହିନ୍ଦୁ–ମୁସଲମାନ ଐକ୍ୟ ପ୍ରତିଷ୍ଠା ପାଇଁ ଉଦ୍ୟମ ଏକ ପ୍ରଧାନ ଅଂଶ ଥିଲା ।

 

ଅସ୍ପୃଶ୍ୟତାର ନିବାରଣ ଓ ହିନ୍ଦୁ-ମୁସଲମାନ ଐକ୍ୟ ଏବ ବି’ ଭାରତୀୟ ସମାଜରେ ଏକ ପ୍ରଧାନ ଆହ୍ଵାନ । ଏହି ଭାବ ଯେ ସ୍ଵରାଜ ପାଇଁ ଆବଶ୍ୟକ କ୍ରମେ କ୍ରମେ ଆମେ ଭୁଲିଯାଉଛୁ । ଏହି ଦୁଇଟି ଲକ୍ଷ୍ୟ ପୂରଣ ପାଇଁ ସତ୍ୟାଗ୍ରହକୁ ଆମେ ଏକ ଅସ୍ତ୍ର ରୂପେ ବ୍ୟବହାର କରି ପାରିବା, ସଂଘର୍ଷର ଏକ ଶୈଳ ରୂପେ ବ୍ୟବହାର କରିବା ।

 

ଏବେ ଆମ ଚାରିପଟେ ଅନେକ ପରିବର୍ତ୍ତନ ଘଟୁଛି । କ୍ଷମତା, ଅର୍ଥ, ବିଜ୍ଞାନ ଓ ଟେକ୍ନୋଲଜି ମଣିଷର ଜୀବନକୁ ଏମିତି ସଂରଚିତ କରିଛନ୍ତି ଯେ’ ଅନେକ କହୁଛନ୍ତି ଜୀବନରେ କୌଣସି ସତ୍ୟ ନାହିଁ ମୁହୂର୍ତ୍ତଟା ସତ । ମାତ୍ର ଏବେ ବି ସମାଜର ସବୁ ପରିବର୍ତ୍ତନ ସତ୍ତ୍ୱେ ସତ୍ୟ ବୋଲି ଏକ ପରିସର ରହିଛି । ସାଂପ୍ରତିକ ପାଶ୍ଚାତ୍ୟ ସମାଜରେ ଜୀବନର ସତ୍ୟ ପରିସରର ସନ୍ଧାନ ଏବେ ବି କ୍ରିୟାଶୀଳ । ଏମିତି କ୍ରିୟାଶୀଳତା ବିଭିନ୍ନ ସାମାଜିକ ଆନ୍ଦୋଳନ ମଧ୍ୟରେ ପ୍ରକଟିତ ହେଉଛି । ଆତ୍ମା ଓ ଆତ୍ମ ସଚେତନ ସତ୍ୟାତ୍ମାମାନଙ୍କର କ୍ରିୟାଶୀଳତା ବିନା ସତ୍ୟାଗ୍ରହର ପ୍ରାସଙ୍ଗିକତା ନିମିତ୍ତ ସବଳ ଯୁକ୍ତି ନୁହେଁ କେବଳ ଏକ ଯୁକ୍ତିରେ ରହିଯିବ ।

 

ଯୁବ ଶକ୍ତିକୁ ନିବେଦନ

 

ଏବେ ସାରା ବିଶ୍ଵରେ କେବଳ ପ୍ରଚାରର ପ୍ରସାର ଜରିଆରେ ଜନମତକୁ ବିଭ୍ରାନ୍ତ କରିବାର ଚେଷ୍ଟା କରାଯାଉଛି । ସାମୟିକ ଲାଭ କ୍ଷତିର ହିସାବ ଜରିଆରେ ମଣିଷ ଜୀବନର ଓ ସାରା ବିଶ୍ଵର ଭବିଷ୍ୟତକୁ ବିପଥଗାମୀ କରି ଏହି ସଭ୍ୟତାକୁ ଧ୍ଵଂସ କରିବାର ପ୍ରକ୍ରିୟା ବଳବତ୍ତର ରହିଛି ।

 

ବିଶ୍ଵର ଚାରିଆଡ଼େ ଏବେ ଗାନ୍ଧିଜୀଙ୍କର ଚିନ୍ତାଧାରା ଆଡ଼କୁ ଦୃଷ୍ଟି ପଡ଼ିଛି । ଗାନ୍ଧିଜୀଙ୍କୁ “ଅବତାରୀ ପୁରୁଷ” ବା “ଦେବତା ସ୍ତରକୁ” ନ ନେଇ ଜଣେ ଦିବ୍ୟଦୃଷ୍ଟି ସମ୍ପନ୍ନ ଚିନ୍ତାଶୀଳ ବ୍ୟକ୍ତି ଭାବରେ ହିଁ ଗ୍ରହଣ କରାଯାଉଛି । କିନ୍ତୁ ଦୁଃଖର କଥା ଆମ ରାଜ୍ୟର ଯୁବଶକ୍ତି ନିଜର ସମସ୍ୟା ସମାଧାନ ପାଇଁ ଗାନ୍ଧିଜୀଙ୍କ ଚିନ୍ତାଧାରା ଆଡ଼କୁ ଫେରୁ ନାହାନ୍ତି ।

 

ମୋ କ୍ଷୁଦ୍ର ବିଚାରରେ ସାଂପ୍ରତିକ ଓଡ଼ିଶାର ସମାଜରେ ଏପରି କୌଣସି ସମସ୍ୟା ନାହିଁ ଯାହା ଗାନ୍ଧିଜୀଙ୍କର ଚିନ୍ତାଧାରା ଅନୁସରଣଦ୍ଵାରା ସମାଧାନ କରି ନ ହେବ । ତେଣୁ ନିବେଦନ ଯୁବକ / ଯୁବତୀମାନେ ଅନ୍ୟ ସମସ୍ତ ପ୍ରକାର ସାଂସାରିକ କାର୍ଯ୍ୟ ସହିତ ଗାନ୍ଧିଜୀଙ୍କର ଚିନ୍ତାଧାରାକୁ ବିଶ୍ଳେଷଣ କରି ତା’କୁ କାର୍ଯ୍ୟକାରୀ କରିବାକୁ ପ୍ରତ୍ୟହ କିଛି ସମୟ ଦିଅନ୍ତୁ । ଫଳରେ ଭବିଷ୍ୟତ ବଂଶଧରଙ୍କର ଜୀବନ ସୁଖମୟ ହେବ–

 

–ଆଚାର୍ଯ୍ୟ ଭାବାନନ୍ଦ

ସଭାପତି, ସର୍ବୋଦୟ ପାର୍ଟି

ଓଡ଼ିଶା ରାଜ୍ୟଶାଖା ଓ ସଭ୍ୟ,

ରାଷ୍ଟ୍ରୀୟ ସଭାପତି ମଣ୍ଡଳୀ

Image